ସେବା ନିବୃତ ହେଉଥିବା ଅଙ୍ଗନୱାଡି କର୍ମୀ ଓ ଅଙ୍ଗନବାଡୀ ସହାୟକ ମାନଙ୍କ ପୋତ୍ସାହନ ରାଶିରେ ବୃଦ୍ଧି
- ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ସବେତନ ଚିକିତ୍ସା ଛୁଟି
- ଉପକୃତ ହେବେ ୧.୩୦ ଲକ୍ଷ ଅଙ୍ଗନୱାଡି କର୍ମୀ
ଭୁବନେଶ୍ୱର : ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳା ମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନୱାଡି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ସେମାନଙ୍କ କାର୍ଯ୍ୟର ଗୁରୁତ୍ବ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡୀ କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି ।
୧. ଅଙ୍ଗନୱାଡି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ। ୨. ମିନି ଅଙ୍ଗନୱାଡି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ୩. ଅଙ୍ଗନୱାଡି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହି ନୂତନ ପ୍ରୋତ୍ସାହନ ରାଶି ପିଚ୍ଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି । ଏହାଦ୍ବାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ଅଙ୍ଗନବାଡୀ ସହାୟିକା ଉପକୃତ ହେବେ । ଏହି ଘୋଷଣା ଦ୍ବାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନୱାଡି କର୍ମୀ ଉପକୃତ ହେବେ । ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଓ ଅଙ୍ଗନୱାଡି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
