ପେଟ୍ରୋ କେମିକାଲ ବନ୍ଦ ଘୋଷଣା, ବିଜେଡ଼ିର ନିର୍ବାଚନ ପାଇଁ ଧୂଆଁ ବାଣ : କଂଗ୍ରେସ
ବାଲେଶ୍ୱର : କଂଗ୍ରେସ ଜନତାଙ୍କ ସହିତ ସର୍ବଦା ରହିଛି । ବିକାଶକୁ କଂଗ୍ରେସ ବିରୋଧ କରେ ନାହିଁ । କିନ୍ତୁ ଜନତାଙ୍କ ବିନାଶ କରି ଯେଉଁଠାରେ ବିକାଶର କଥା ଚିନ୍ତା କରାଯାଇଛି, ସେଠାରେ କଂଗ୍ରେସ ବିରୋଧ କରିଛି । କାରଣ ଅତୀତରେ କଂଗ୍ରେସ ଲୋକଙ୍କ ସ୍ୱାର୍ଥକୁ ରଖି ବିକାଶ କରିଛି । ବାଲିଆପାଳର ପେଟ୍ରୋ କେମିକାଲ ପ୍ରତିଷ୍ଠା କ୍ଷେତ୍ରରେ ଯେତେବେଳେ ୬ଟି ପଞ୍ଚାୟତର ୧୫ ହଜାର ପରିବାରର ୬୦ ହଜାର ଲୋକ ସେମାନଙ୍କ ଜୀବନ ଧାରାକୁ ନେଇ ତ୍ରାହି ତ୍ରାହି ହେଲେ ସେତେବେଳେ କଂଗ୍ରେସ ଜନତାଙ୍କ ପାଇଁ ଲଢ଼ିଲା । ନିକଟ ଅତୀତରେ କଂଗ୍ରେସର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ. ଚେଲ୍ଲା କୁମାର ଓ ବାଲେଶ୍ୱର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଏକ ବିଶାଳ ସମାବେଶରେ ବାଲିଆପାଳ ବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି ଘୋଷଣା କଲେ । ସେତେବେଳେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ଏବଂ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କୁଆଡ଼େ ସାଧାରଣ ଲୋକଙ୍କ ହୃଦୟ ଜିଣିବା ଜାଣି ବିଜେଡି ତରବରିଆ ଭାବେ ହଠାତ୍ ସମାବେଶ କରି ପେଟ୍ରୋ କେମିକାଲ ବନ୍ଦ ହେବ ବୋଲି ଘୋଷଣା କରିବା ଓ ବନ୍ଦର ସମୂଦ୍ର ହେବ ବୋଲି କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି ।
ବାଲେଶ୍ୱର ଜିଲା କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନରେ ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ସଞ୍ଜୀବ ଗିରି କହିଛନ୍ତି ଯେ, ପେଟ୍ରୋ କେମିକାଲ ଓ ବନ୍ଦର ବିଷୟରେ ନିଷ୍ପତ୍ତି ଓ ଘୋଷଣା କରିବାକୁ ରାଜ୍ୟ ସରକାର କିଏ । ଯଦି ଦମ୍ ଅଛି ରାଜ୍ୟ ସରକାର କେନ୍ଦ୍ର ତୈଳ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଘୋଷଣା କରନ୍ତୁ । ଯେତେବେଳେ ରାଜ୍ୟ ସରକାର ରାଜ୍ୟରେ କରୋନା କଟକଣା ଜାରି କରୁଛନ୍ତି, ଠିକ୍ ତା ପର ଦିନ ରାଜ୍ୟର ଦୁଇ ଜଣ ମନ୍ତ୍ରୀ ଓ ସରକାରୀ ଦଳର ରାଜ ନେତା ବିଶାଳ ସମାବେଶରେ ଲୋକଙ୍କୁ ଅର୍ଥ ଦେଇ ବହିଆଣି ସମାବେଶ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେହିପରି ବସ୍ତା କଂଗ୍ରେସ ନେତା ତଥା ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ କହିଛନ୍ତି ଯଦି ବାଲିଆପାଳର ଶସ୍ୟ ଶ୍ୟାମଳା ରତ୍ନଗର୍ଭା ମାଟି ପାଇଁ ବିଜେଡିର ଚିନ୍ତା ତାହାଲେ ପ୍ରଥମରୁ କାହିଁକି ନିରବ ଥିଲା । ଏହା କେବଳ ପଞ୍ଚାୟତ ନିର୍ବାଚନ ପାଇଁ ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଓ ରାଜ୍ୟ ସରକାରଙ୍କ ଧୁଆଁ ବାଣ । ଗୋଟିଏ ପଟେ ବିଜୁ ଜନତା ଦଳର କିଛି ବ୍ଲକସ୍ତରୀୟ ନେତା ପେଟ୍ରୋ କେମିକାଲ ଓ ବନ୍ଦର ପ୍ରତିଷ୍ଠା ପାଇଁ ମେଳୀ ସଭା ଲଗାତାର କରୁଥିବା ବେଳେ ଅନ୍ୟ ପଟେ ସେହି ବିଜେଡି ଏବେ ପେଟ୍ରୋ କେମିକାଲ ଓ ବନ୍ଦରକୁ ବିରୋଧ କରିବା ‘ଲୁଚିଛି ନା ଗୋଡ଼ ଦୁଇଟା ଦୁଶୁଛି’ ଉକ୍ତି ସଦୃଶ । ତେଣୁ କଂଗ୍ରେସ ବାଲିଆପାଳ ବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିଛି, କରୁଛି ଓ କରିବ ବୋଲି କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା ଓ ସମ୍ପାଦକ ପଶୁପତି ଉପାଧ୍ୟାୟ ଉପସ୍ଥିତ ଥିଲେ ।
