ଗବେଷଣାରୁ ମିଳିଲା ରିପୋର୍ଟ? ଗର୍ଭଧାରଣ ସମୟରେ ମୋବାଇଲ ବ୍ୟବହାର ପିଲା ପାଇଁ ବିପଦ ନୁହେଁ !
ସାଧାରଣତଃ କୁହାଯାଏ ଗର୍ଭଧାରଣ ସମୟରେ ମୋବାଇଲ ବ୍ୟବହାର କରିବା ଦ୍ବାରା ପିଲାର ମସ୍ତିସ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଗର୍ଭବତୀ ମା’ର ମୋବାଇଲ ବ୍ୟବହାର ସହିତ ପିଲାର ମସ୍ତିସ୍କ ଉପରେ ଖରାପ ପ୍ରଭାବର କୌଣସି ସମ୍ପର୍କ ନାହିଁ।
ଗବେଷଣା ରିପୋର୍ଟ ଅନୁସାରେ ଗର୍ଭାବସ୍ଥା ସମୟରେ ମୋବାଇଲ ଫୋନ୍ ବ୍ୟବହାର ଆପଣଙ୍କ ପିଲାର ନ୍ୟୁରୋ ଡେଭଲପ୍ମେଣ୍ଟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ନରୱେଜିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥର (ଏନ୍ଆଇପିଏଚ୍) ଗବେଷକମାନେ ଗବେଷଣାରୁ ପାଇଛନ୍ତି ଯେ ଗର୍ଭଧାରଣ ସମୟରେ ମୋବାଇଲ ବ୍ୟବହାର କରୁଥିବା ମହିଳାଙ୍କ ପିଲାଙ୍କ ତୁଳନାରେ ମୋବାଇଲ ବ୍ୟବହାର କରୁ ନ ଥିବା ମହିଳାଙ୍କ ପିଲାଙ୍କର ବାକ୍ୟ ପ୍ରସ୍ତୁତ କରିବା ସମସ୍ୟା ୨୭ ପ୍ରତିଶତ ଅଧିକ।
ଗବେଷଣା ଅନୁସାରେ ମୋବାଇଲରୁ ବାହାରୁଥିବା ରେଡ଼ିଓ ଫ୍ରିକ୍ବେନ୍ସି ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ଫିଲ୍ଡ ସମ୍ପର୍କରେ ଆସିବା ଦ୍ବାରା ଗର୍ଭସ୍ଥ ଶିଶୁର ନ୍ୟୁରୋ ଡେଭଲପମେଣ୍ଟ ଉପରେ କୌଣସି ପ୍ରଭାବ ପଡ଼ି ନ ଥାଏ। ୪୫,୩୮୯ ଜଣ ମା’ ଓ ପିଲା ଏହି ଗବେଷଣାରେ ସାମିଲ ହୋଇଥିଲେ। ଗର୍ଭଧାରଣ ସମୟରେ ମୋବାଇଲ ବ୍ୟବହାର କରିବା ଦ୍ବାରା ଗର୍ଭସ୍ଥ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପଡ଼େ ବୋଲି ପ୍ରଥମ ଥର ପାଇଁ ତାଙ୍କ ଗବେଷଣାରୁ ଜଣାପଡ଼ିଛି ବୋଲି ଏନ୍ଆଇପିଏଚ୍ର ପ୍ରଫେସର ଜେନ୍ ଆଲେକ୍ଜାଣ୍ଡର କହିଛନ୍ତି।
