୩ କ୍ରିକେଟରଙ୍କ ଉପରୁ ସାମୟିକ ବ୍ୟାନ୍କୁ ହଟାଇଲା ଏସ୍ଏଲ୍ସି
କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲ୍ସି) ପକ୍ଷରୁ ୩ କ୍ରିକେଟରଙ୍କ ଉପରେ ରହିଥିବା ସାମୟିକ ବ୍ୟାନ୍କୁ ହଟାଇ ନିଆଯାଇଛି। ଏହି ତିନି କ୍ରିକେଟର୍ ହେଲେ ଦାନୁଷ୍କା ଗୁଣତିଲକା, କୁସାଲ୍ ମେଣ୍ଡିସ୍ ଓ ନିରୋଶନ୍ ଡିକୱେଲା। ଗତବର୍ଷ ଜୁଲାଇରେ ଇଂଲଣ୍ଡ ଗସ୍ତରେ ଥିବା ଶ୍ରୀଲଙ୍କା ଟିମ୍ର ଏହି ତିନି ଜଣ ସଦସ୍ୟ କୋଭିଡ୍ ପ୍ରୋଟୋକଲ୍ ଭାଙ୍ଗିଥିଲେ। ସେମାନେ ବିନାନୁମତିରେ ବାୟୋ ବବଲ୍ ପରିବେଶ ବାହାରକୁ ଚାଲିଯାଇଥିବାରୁ ଏସ୍ଏଲ୍ସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ବର୍ଷେ ପାଇଁ ବାସନ୍ଦ କରିଥିଲା।
ଗତବର୍ଷ ଆଇପିଏଲ୍ ଶେଷ ହେବା ପରେ ଏହି ତିନି କ୍ରିକେଟର୍ ଏସ୍ଏଲ୍ସି ନିକଟରେ ସେମାନଙ୍କ ଉପରୁ ବ୍ୟାନ୍ ହଟାଇନେବା ସକାଶେ ନିବେଦନ କରାଯାଇଥିଲା। ଏହାପରେ ଏସ୍ଏଲ୍ସି ପକ୍ଷରୁ ବାସନ୍ଦାଦେଶ ସମୟରେ ୩ ଖେଳାଳିଙ୍କ କାଉନ୍ସେଲିଂ ଦାୟିତ୍ୱ ପାଇଥିବା ଡାକ୍ତରଙ୍କ ସହ ଆଲୋଚନା କରାଯାଇଥିଲା। ଡାକ୍ତରଙ୍କ ସକାରାତ୍ମକ ରିପୋର୍ଟ ପରେ ଏହି ତିନି ଖେଳାଳିଙ୍କ ଉପରୁ ବ୍ୟାନ୍ ହଟାଯାଇଛି ଓ ସେମାନେ ଏବେ ଜାତୀୟ ଦଳରେ ସାମିଲ୍ ହେବା ସକାଶେ ଚୟନ ପାଇଁ ଉପଲବ୍ଧ ହୋଇପାରିବେ ବୋଲି ଏସ୍ଏଲ୍ସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
