କଦଳୀପତ୍ରରେ ଗାଉଁଲି ଖାଦ୍ୟ ଖାଇଲେ କେନ୍ଦ୍ର ରେଳମନ୍ତ୍ରୀ
ନୀଳଗିରି : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଆସିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟ ସମାପନ ପରେ ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ, ଏମ୍ପି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗୋପିନାଥପୁର ଶାସନ ସ୍ଥିତ ଚାଳଛପର ଘରେ କଦଳୀପତ୍ରରେ ଗାଉଁଲି ଖାଦ୍ୟ ଭୋଜନ କରିଥିଲେ । ଭାତ, ଡାଲି, ଘାଣ୍ଟ, ମିକ୍ସ ତରକାରୀ, ଦହି ବାଇଗଣ, ବିଲାତି ଖଟା, ବୋଇତାଳ ଫୁଲ ବଡ଼ା, କାନିକା ଭାତ, ମଣ୍ଡା ପିଠା, ପୋଡ଼ ପିଠା, ଜହ୍ନି ଆଳୁ ପୋସ୍ତ, ଶାଗ, ଫୁଟ୍ଗୁଡ଼ି-ଆଳୁ ଭଜା, କଦଳୀ ଚୋପା ପତୁଆ, କଦଳୀ ଚିପ୍ସ, ଶିମ ଭଜା, ବଡ଼ିଚୁରା, ଇଞ୍ଚଡ଼ ତରକାରୀ, ପନୀର ତରକାରୀ ସମେତ ଅନ୍ୟାନ୍ୟ ଗାଉଁଲି ଖାଦ୍ୟକୁ କେନ୍ଦ୍ରମନ୍ତ୍ରୀ ବେଶ ଆଗ୍ରହର ସହ ଖାଇଥିଲେ ।
ପ୍ରତାପ ନନାଙ୍କର ଚାଳଛପର ଘର, ସାଧାରଣ ଜୀବନଶୈଳୀକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ନା ଥିଲା ଟେବୁଲ, ନା ଥିଲା ଚେୟାର, ନା ଡାଇନିଙ୍ଗ ଟେବୁଲ । ତଳେ ବସି ଅତି ଆନନ୍ଦର ସହ ହାତ ତିଆରି ଗାଉଁଲି ଖାଦ୍ୟକୁ କଦଳୀ ପତ୍ରରେ ଖାଇବା ସହ ପ୍ରତାପ ନନାଙ୍କର ନଳକୂପର ପାଣି ପିଇଥିଲେ । କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ସମେତ ବହୁ ଭାଜପା ନେତୃବୃନ୍ଦ ଖାଦ୍ୟ ଖାଇଥିଲେ । କେନ୍ଦ୍ରମନ୍ତ୍ରୀ ଗ୍ରାମକୁ ଆସିବା କଥା ଶୁଣିବା ପରେ ଆନନ୍ଦରେ ଅଧୀର ହୋଇପଡ଼ିଥିଲେ ଗୋପୀନାଥପୁର ବାସୀ । ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ସମସ୍ତେ ପ୍ରସ୍ତୁତ ହୋଇରହିଥିଲେ ।
