ଜାତୀୟ ପୁରସ୍କାର ପାଇଲା ଓଡ଼ିଶାର ‘ବ୍ଲୁଇସ୍’ ଆପ୍
ଭୁବନେଶ୍ୱର : ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତୁପକ୍ଷ, ଭୁବନେଶ୍ୱର ପୌର ପରିଷଦ ଏବଂ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ୍)ଙ୍କ ଦ୍ୱାରା ମିଳିତ ଭାବେ କାର୍ଯ୍ୟାନ୍ୱୟ କରାଯାଉଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇେଂଟଲିଜେନ୍ସ୍ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ୍ ସ୍ୱର୍ଣ୍ଣ ପୁରସ୍କାର ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦୨୦ ଜୁଲାଇ ମାସରେ ଏହାର ଉଦଘାଟନ କରିଥିଲେ ।
ଶୁକ୍ରବାର ହାଇଦ୍ରାବାଦ ଠାରେ ଅନୁଷ୍ଠିତ ୨୪ ତମ ଜାତୀୟ ଇ-ଗଭର୍ନାନ୍ସ୍ ସମ୍ମେଳନରେ କେନ୍ଦ୍ରୀୟ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରାଙ୍କ ସହିତ ଓରସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ ମଲ୍ଲିକ, ଓଡ଼ିଆ ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଓ ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ସରକାରୀ ଜମିର ସଠିକ୍ ଚିହ୍ନଟ ଓ ସୁରକ୍ଷା ନିମନ୍ତେ ଏହି ପ୍ରକଳ୍ପରେ ସାଟେଲାଇଟ୍ ଚିତ୍ର, ଆର୍ଟିଫିସିଆଲ୍ ଇେଂଟଲିଜେନ୍ସ୍ ଓ ଅତ୍ୟାଧୂନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ୮୯ଟି ଅଭିନବ ବୈଷୟିକ ପ୍ରକଳ୍ପ ମଧ୍ୟରେ ବ୍ଲୁଇସ୍ ଶ୍ରେଷ୍ଠ ବିବେଚିତ ହୋଇଥିଲା ।
ଏତାଦୃଶ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସାଧାରଣ ପ୍ରଶାସନ ବିଭାଗ ଏବଂ ଓରସାକ୍ଙ୍କୁ ସାଧୁବାଦ ଜଣାଇବା ସହ ଉତମ ପ୍ରଶାସନ ଓ ସେବା ଯୋଗାଣରେ ଅଧିକରୁ ଅଧିକ ଅଭିନବ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବ୍ଲୁଇସ୍ ଆପ୍ ବ୍ୟବସ୍ଥାକୁ ରାଜ୍ୟର ଅନ୍ୟ ପୌରନଗର ନିଗମ ମାନଙ୍କରେ ପ୍ରୟୋଗ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ଆପ୍ ମାଧ୍ୟମରେ ବର୍ତମାନ ସୁଦ୍ଧା ଭୁବନେଶ୍ୱର ଉନ୍ନୟନ କର୍ତୁପକ୍ଷ ଅନ୍ତର୍ଗତ ୮୨୬ ଟି ଜବର ଦଖଲ ମାମଲା ଚିହ୍ନିତ ହୋଇଛି ଏବଂ ୪୮୪ ଟି ମାମଲାର ଫଇସଲା ହୋଇ ସରକାରୀ ଜମି ସୁରକ୍ଷିତ ରଖାଯାଇ ପାରିଛି । ସାଧାରଣ ପ୍ରଶାସନ ବିଭାଗ ମାହାଲ ନିର୍ଦ୍ଦେଶକ ଶ୍ରୀ ମହାନ୍ତି ଜଣାଇଥିଲେ ଯେ ଝାଡ଼ଖଣ୍ଡ ଏବଂ ଆସାମ ରାଜ୍ୟର ପ୍ରଶାସନ ରାଂଚି ଓ ଗୌହ୍ୱାଟି ରେ ଏହିପରି ସଫଟ୍ଓୟାରର ପ୍ରୟୋଗ ନିମନ୍ତେ ଓଡ଼ିଶାର ସହଯୋଗ ଚାହିଁଛନ୍ତି ।
