ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ମରାମତି ପାଇଁ ୩ ହଜାର ଲେଖାଏଁ ସହାୟତା ପ୍ରଦାନ
- ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ
- ମୋ ରାଜ୍ୟର ଲୋକଙ୍କୁ ଘର ପାଇଁ ଅବହେଳାର ଶିକାର ହେବାକୁ ଦେବି ନାହିଁ : ମୁଖ୍ୟମନ୍ତ୍ରୀ
- ପକ୍କା ଘର ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ମରାମତି ପାଇଁ ମିଳିବ ୫ ହଜାର ଟଙ୍କା
- ଘର ମରାମତି ସାହାଯ୍ୟ ଦେବାରେ ଓଡ଼ିଶା ହେଉଛି ସାରା ଦେଶରେ ପ୍ରଥମ
- ୩୧ ଲକ୍ଷ ପରିବାର ପାଇଲେ ୧୪୪୪ କୋଟି ଟଙ୍କାର ସହାୟତା
- ହିତାଧିକାରୀ ମାନଙ୍କ ମୁହଁରେ ହସ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଂଟରେ ଜମା କରାଯାଇଛି । ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତି କରାଯାଇଥିଲା । ନିଷ୍ପତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀ ମାନଙ୍କୁ ସହାୟତା ଦିଆଯାଇଛି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ରେ ରାଜ୍ୟ କ୍ୟାବିନେଟ୍ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ନିଷ୍ପତି ନିଆଯାଇଥିଲା । ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନ କରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଘର ସହ ଘର ମରାମତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଘରର ମରାମତି ପାଇଁ ଆଜି ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଗଲା । ସବୁ ଗ୍ରାମୀଣ ପକ୍କା ଘର ଯୋଜନାର ହିତାଧିକାରୀ ମାନେ ଏହି ସହାୟତା ପାଇବେ ବୋଲି ସେ କହିଥିଲେ ।
କେନ୍ଦ୍ର ଯୋଜନାରେ ଲୋକଙ୍କୁ ଘର ମିଳୁ ନଥିବା ବିଷୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମୁଁ ମଧ୍ୟ ଏ ବିଷୟରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଆସୁଛି । ତା ସହିତ ଆମର ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜନଜାତି ଭାଇଭଉଣୀ ମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ରହିଛନ୍ତି । ସେମାନେ ବର୍ତମାନ ଯେଉଁ ଭଙ୍ଗା ଘରେ ରହୁଛନ୍ତି, ତାର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଂଟର ତଥ୍ୟ ଆମେ ସଂଗ୍ରହ କରୁଛୁ ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ମୋ ରାଜ୍ୟର ଲୋକମାନଙ୍କୁ ମୁଁ କେବେ ବି ଅବହେଳାର ଶିକାର ହେବାକୁ ଦେବିନାହିଁ । ଘର ନ ଥିବା ଗରିବ ଲୋକଙ୍କୁ ଯଦି କେନ୍ଦ୍ର ସରକାର ସାହାଯ୍ୟ ନ କରେ, ତେବେ ଆପଣଙ୍କ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି ବୋଲି ସେ ଲୋକମାନଙ୍କୁ ଭରସା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଘର ଆମର ପରିଚୟ, ଆମର ସ୍ୱାଭିମାନ । ତେଣୁ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ମୁଣ୍ଡ ଉପରେ ଏକ ସୁନ୍ଦର ଛାତ ଟିଏ ରଖିବା ଆମର ଲକ୍ଷ୍ୟ । ଏଥିପାଇଁ ଆମର ଉଦ୍ୟମ ଜାରି ରହିବ ।
ସୂଚନାଯୋଗ୍ୟ ଯେ କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨ ଲକ୍ଷ ୨୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା (ଗ୍ରାମୀଣ)ରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାର ମାନେ ବର୍ତମାନ ଯେଉଁ ଘରେ ରହୁଛନ୍ତି, ତାର ମରାମତି ପାଇଁ ବିଜୁ ପକ୍କା ଘର ଯୋଜନାରୁ ୫୦୦୦ ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେମାନଙ୍କ account detail collectionଭ ଚାଲିଛି ବୋଲି ଜଣାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଗାଁର ଗରିବ ଲୋକମାନଙ୍କୁ ପ୍ରାଥମିକତା ଭିତିରେ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ଦ୍ଦେଶ ଦେଇଆସିଛନ୍ତି । ଆଜି ଘର ମରାମତି ପାଇଁ ମଧ୍ୟ ସହାୟତା ଦିଆଗଲା । ଏହା ମୁଖ୍ୟମନ୍ତ୍ରୀଙ୍କ ଦରଦୀ ହୃଦୟର ପରିଚୟ ଦିଏ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ କରିବା ସମୟରେ ଗଞ୍ଜାମର ସବିତା ଭୂୟାଁ, କଳାହାଣ୍ଡିର ବିମଳା ମାଝୀ ଓ ଆହୁରି ଅନେକ ହିତାଧିକାରୀମାନେ କହିଥିଲେ ଯେ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁବିଧା ଅସୁବିଧା ସମୟରେ ସାହାଯ୍ୟ ପାଇ ଆସିଛନ୍ତି । ଏହି ସହାୟତା ସେମାନଙ୍କ ଘରକୁ ଆହୁରି ଦୀର୍ଘସ୍ଥୟୀ କରିବ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଂଚାୟତି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।
