ସତର୍କ କଲେ ଏମ୍ସ ନିର୍ଦ୍ଦେଶକ! ଫୁସଫୁସ ଅପେକ୍ଷା ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ ଓମିକ୍ରନ୍
ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦେଶରେ ଦୈନିକ କୋରୋନା ମାମଲାରେ ମଧ୍ୟ ବଡ଼ ଧରଣର ବୃଦ୍ଧି ରେକର୍ଡ କରାଯାଉଛି । ଏହି ସମୟରେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ଏହି ସମୟରେ ସଠିକ୍ ମାସ୍କିଂ, ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା ଏବଂ ଟିକାକରଣ ସହିତ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ଜରୁରୀ ଅଟେ । ଅବଶ୍ୟ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ ଓମିକ୍ରନ୍ ଭାରିଆଣ୍ଟର ପ୍ରଭାବ ସାମାନ୍ୟ, ତଥାପି ସମସ୍ତେ ସତର୍କ ହେବା ଆବଶ୍ୟକ । ଗୁଲେରିଆ କହିଛନ୍ତି, ଭୟ କରନ୍ତୁ ନାହିଁ, ଏହା ଏକ ହାଲୁକା ରୋଗ, କିନ୍ତୁ ସାବଧାନ ରୁହନ୍ତୁ ।
ଏହାପୂର୍ବରୁ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ ଫୁସଫୁସ ଅପେକ୍ଷା ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ ଓ କୋମୋରବିଡିଟିସ୍ ନଥିବା ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ । ଡାକ୍ତରଖାନା ଯିବାରୁ ଦୂରେଇ ରୁହନ୍ତୁ । ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ ପ୍ରଭାବୀ ହୋମ୍ ଆଇସୋଲେଶନ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଆବଶ୍ୟକ କାରଣ ନୂତନ ଭାରିଆଣ୍ଟ୍ରରୁ ରିକଭରୀ ସମୟ ଅତ୍ୟନ୍ତ ଦ୍ରୁତ ରହିଛି । ଆମେ ଏଠାରେ ଯାହା ଦେଖୁଛୁ ତାହା ହେଉଛି ଜ୍ୱର, ନାକରୁ ପାଣି ବାହାରିବା, ଗଳା ଯନ୍ତ୍ରଣା ଏବଂ ଶରୀରର ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା । ଯଦି ଏହି ଲକ୍ଷଣଗୁଡ଼ିକ ମଧ୍ୟରୁ କୌଣସିଟି ଦେଖାଯାଏ, ତେବେ ସେମାନେ ଆଗକୁ ଆସି ନିଜର ପରୀକ୍ଷା କରିବା ଉଚିତ୍ ।
