ରିଲିଜ ପୂର୍ବରୁ ‘ଆରଆରଆର’କୁ ଝଟକା, ତେଲେଙ୍ଗାନା ହାଇକୋର୍ଟରେ ପିଆଇଏଲ ଦାଖଲ
ମୁମ୍ବାଇ : ସାଉଥ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଏସ୍.ଏସ୍ ରାଜାମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆରଆରଆର’ ବିଷୟରେ ସୋସିଆଲ ମିଡିଆରେ ବହୁତ ଗୁଜବ ସୃଷ୍ଟି ହୋଇଛି । ଦର୍ଶକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବର୍ତ୍ତମାନ ଫିଲ୍ମଟି ରିଲିଜ ହେବା ପୂର୍ବରୁ ହିଁ କିଛି ସମସ୍ୟାର ସାମ୍ନା କରିଥିବା ଜଣାପଡ଼ିଛି । ‘ଆରଆରଆର’ ଫିଲ୍ମଟି ଆଇନଗତ ଅସୁବିଧାରେ ପଡ଼ିଥିବା ଜଣାପଡିଛି । ଫିଲ୍ମ ରିଲିଜ୍ କୁ ସ୍ଥଗିତ କରିବାକୁ ଦାବି କରି ତେଲେଙ୍ଗାନା ହାଇକୋର୍ଟରେ ଏହା ବିରୋଧରେ ଏକ ପିଆଇଏଲ ଦାଖଲ କରାଯାଇଛି।
ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଇତିହାସ ଦର୍ଶାଯାଇଛି ଯାହା ଭୁଲ ଭାବରେ ଉପସ୍ଥାପିତ କରାଯାଇଛି। ଏବେ ପଶ୍ଚିମ ଗୋଦାବରୀ ଜିଲ୍ଲାର ଜଣେ ଛାତ୍ରଙ୍କ ଦ୍ୱାରା ‘ଆରଆରଆର’ ବିରୋଧରେ ଏହି ପିଆଇଏଲ ଦାଖଲ କରାଯାଇଛି। ଛାତ୍ର କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଅନେକ ଐତିହାସିକ ତଥ୍ୟକୁ ବିକୃତ କରାଯାଇଛି। ସେନ୍ସର ବୋର୍ଡ ଏଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ କଡା ପଦକ୍ଷେପ ନେବା ଉଚିତ୍ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି। ଏହି ମାମଲାରେ ଜଷ୍ଟିସ ଭେଙ୍କଟେଶ୍ୱର ରେଡ୍ଡୀ ଏବଂ ଉଜ୍ଜ୍ୱଲ ଭୁୟାନ ଏହି ମାମଲାର ଶୁଣାଣି କରିଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ପାଇଁ ଅପେକ୍ଷା କରାଯାଇଛି ।ଅନ୍ୟପକ୍ଷରେ, ବର୍ତ୍ତମାନ ଏହି ଘଟଣାରେ ‘ଆରଆରଆର’ ଟିମ ପକ୍ଷରୁ କୌଣସି ଔପଚାରିକ ଭାବେ ବିବୃତ୍ତି ଦିଆଯାଇନାହିଁ। ଏଥିସହିତ ଫିଲ୍ମର ମୁକ୍ତିଲାଭ ପାଇଁ କେତେ ଅପେକ୍ଷା କରିବାକୁ ପଡିବ ସେ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ।
ସୂଚନା ଯେ, କରୋନା ଭାଇରସର ସଂକ୍ରମଣ ପୁଣିଥରେ ବଢିବା ହେତୁ ଅନେକ ରାଜ୍ୟରେ ସିନେମା ହଲ ବନ୍ଦ ରହିଛି ଯାହା ଫଳରେ ଏହି ବିଗ୍ ବଜେଟର ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜାନୁଆରୀ ୭ ଅର୍ଥାତ୍ ଆଜି ପ୍ରେକ୍ଷାଳୟକୁ ଆସିବାର ସମସ୍ତ ଯୋଜନା ଥିଲା । ଏଠାରେ କହିରଖୁଛୁ ଯେ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ମଧ୍ୟ ଏହି ଚଳଚ୍ଚିତ୍ର ସହିତ ସାଉଥ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଛନ୍ତି ।
