ଦେଶରେ ୧ଲକ୍ଷ ୧୭ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ, ୩୦୨ ମୃତ
ନୂଆଦିଲ୍ଲୀ : ଦେଶରେ ପୁଣି ଥରେ କରୋନା ସଙ୍କଟ ଦେଖାଦେଇଛି । ଦେଶରେ ଦ୍ରୁତ ଗତିରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାସହ ଦେଶରେ ବର୍ତ୍ତମାନ ସୁଦ୍ଧା ୩,୦୦୭ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୧୭ହଜାର ୧୦୦ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୮୩୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୮୫,୯୬୨ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି ।
ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୫୨ ଲକ୍ଷ ୨୬ ହଜାର ୩୮୬ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୧ ହଜାର ୬୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୩ ହଜାର ୧୭୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୬ ପର୍ଯ୍ୟନ୍ତ ସାରା ଦେଶରେ ୧୪୯ କୋଟି ୬୬ ଲକ୍ଷ ୮୧ ହଜାର ୧୫୬ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪ ଲକ୍ଷ ୪୭ ହଜାର ୫୬ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୮ କୋଟି ୬୮ ଲକ୍ଷ ୧୯ ହଜାର ୧୨୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଲକ୍ଷ ୧୩ ହଜାର ୩୭୭ କୋରୋନା ନମୁନା ପରୀକ୍ଷା କରାଯାଇଛି ।
