ରାଜ୍ୟରେ ଟିକା ନେଲେଣି ୨ ଲକ୍ଷ ୬୪ ହଜାର କିଶୋର
ଭୁବନେଶ୍ୱର : ୧୧୨୫ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯାଇଛି । ଗୋଟିଏ ଦିନରେ ୮୦ ହଜାରରୁ ଉର୍ଦ୍ଧ୍ୱ କିଶୋର ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ ୨ ଲକ୍ଷ ୬୪ ହଜାର କିଶୋରଙ୍କର ଟିକାକରଣ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେଉଁ ଟିକାର ବୁଷ୍ଟର ଡୋଜ ଦିଆଯିବ, ସେନେଇ ଏଯାଏଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଲିଖିତ ଚିଠି ଆସିନି । ତେବେ ଯେଉଁମାନେ ଦୁଇ ଡୋଜ ଟିକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡୋଜ ନେଇପାରିବେ । ଏଯାଏ ରାଜ୍ୟରେ ୨୭ ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି । ସେହିଭଳି ୨୬ ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେଇନାହାନ୍ତି । ସେମାନଙ୍କ ଟିକାକରଣ ଲାଗି ପଦକ୍ଷେପ ନିଆଯାଉଛି ।
