ଆଜି କପିଲ ଦେବଙ୍କର ୬୩ତମ ଜନ୍ମ ଦିନ
ନୂଆଦିଲ୍ଲୀ : ଆଜି ଭାରତକୁ ପ୍ରଥମ କ୍ରିକେଟ ବିଶ୍ବକପ ଭେଟି ଦେଇଥିବା ବିଶ୍ବ ବିଜୟୀ ଅଧିନାୟକ କପିଲ ଦେବଙ୍କର ୬୩ତମ ଜନ୍ମ ଦିନ । ୧୯୮୩ କ୍ରିକେଟ ବିଶ୍ବକପ ବିଜୟ ହିଁ ଭାରତକୁ ଆଜି ସାରା ବିଶ୍ବରେ ଏକ କ୍ରିକେଟ ହବରେ ପରିଣତ କରିପାରିଛି । ୧୯୫୯ ମସିହା ଆଜିର ଦିନରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ । କପିଲଙ୍କ ପରି ନା କିଏ ହୋଇଛନ୍ତି ନା ହେବେ । ବ୍ୟାଟିଂ ବୋଲିଂ ଫିଲ୍ଡିଂରେ ଦକ୍ଷତା ଥିଲା କପିଲଙ୍କର । ଏହି ସବୁ କ୍ବାଲିଟି ତାଙ୍କୁ ଦୁନିଆରେ ଅଲରାଉଣ୍ଡର ଭାବରେ ପରିଚିତ କରିଛି । କ୍ରିକେଟ ବିଶ୍ବକପର ତୃତୀୟ ସଂସ୍କରଣ ତଥା ୧୯୮୩ ବିଶ୍ବକପରେ ଦୁର୍ଦ୍ଦଶ ତଥା ଦୁଇ ଥର ଚାମ୍ପିଅନ ହୋଇଥିବା ୱେଷ୍ଟଇଣ୍ଡିଜକୁ ପରାସ୍ତ କରି କପିଲ ଦେବଙ୍କ ଭାରତୀୟ କ୍ରିକେଟ ଦଳ ଐତିହାସିକ କ୍ରିକେଟର ମକ୍କା ଲର୍ଡସରେ ବିଶ୍ବକପ ଉଠାଇଥିଲେ । ତାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ସାରା ବିଶ୍ବରେ ଏକ ନୂତନ ପରିଚୟ ପାଇଥିଲା ।
ସେ ଭାରତୀୟ ଦଳ ତରଫରୁ ୧୯୭୮ରୁ ୧୯୯୪ ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି ୧୩୧ ଟେଷ୍ଟ ଓ ୨୨୫ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ । ସେ ଟେଷ୍ଟରେ ୪୩୪ ୱିକେଟ ଦଖଲ କରିଥିଲେ । କପିଲ ଦେବଙ୍କ ଜନ୍ମ ଦିବସ ଅବସରରେ ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ସମେତ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୮୩ରେ ଭାରତ ଜିତିଥିବା ପ୍ରଥମ ବିଶ୍ବକପ ଯାତ୍ରାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଫିଲ୍ମର ନାଁ ୮୩ ରଖାଯାଇଥିଲା ।
କପିଲ ଦେବ ଟେଷ୍ଟ କ୍ରିକେଟରେ ୪୦୦ ୱିକେଟ ନେବା ସହ ୪ ହଜାର ରନ କରିବାରେ ଦୁନିଆରେ ଏକମାତ୍ର ଖେଳାଳି । ୧୩୧ ଟେଷ୍ଟ ଖେଳି ୫୨୪୮ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୮ଟି ଶତକ ସାମିଲ ଅଛି । ଟେଷ୍ଟରେ ସମୁଦାୟ ୪୩୪ଟି ୱିକେଟ ନେଇ ବିଶ୍ବ ରେକର୍ଡ କରିଛନ୍ତି । କପିଲ ଦେବ ଇଂଲଣ୍ଡ ବିପକ୍ଷରେ ୧୯୮୪-୮୫ରେ ଏକ ଟେଷ୍ଟ ଖେଳି ନଥିଲେ । ଏହାକୁ ଖେଳିଥିଲେ ସେ ୧୩୨ଟି ଟେଷ୍ଟ ଖେଳିବାରେ ପ୍ରଥମ ଖେଳାଳି ହୋଇଥାନ୍ତେ । ଦିନିକିଆରେ ୨୦୦ ୱିକେଟ ନେବାରେ ପ୍ରଥମ ବୋଲର ହେଉଛନ୍ତି କପିଲ ଦେବ । ୩୫୬ ଅନ୍ତର୍ଜାତୀୟ ମ୍ୟାଚରେ ୯୦୩୧ ରନ ସଂଗ୍ରହ କରିଛନ୍ତି । ୨୨୫ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୩୭୮୩ ରନ ସଂଗ୍ରହ କରି ୨୫୩ ୱିକେଟ ନେଇଛନ୍ତି । କପିଲ ଦେବ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୧୯୭୮-୯୪ ୧୬ ବର୍ଷ ଯାତ୍ରା ଥିଲା । ପାକିସ୍ତାନ ବିପକ୍ଷରେ ଏହି ଯାତ୍ରା ଆରମ୍ଭ କରିଥିଲେ । ୧୯୭୮ ଅକ୍ଟୋବର ୧ ରେ ଏହି ମ୍ୟାଚ ଖେଳାଯାଇଥିଲା । ୧୬ ଅକ୍ଟୋବରରେ କପିଲ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏହାର ୧୬ ବର୍ଷ ପରେ କ୍ରିକେଟକୁ ଅଲବିଦା କହିଥିଲେ କପିଲ । ୧୯୯୪ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ କପିଲ ଦେବ ।
