ଓମିକ୍ରନକୁ ନେଇ ସାରା ବିଶ୍ୱକୁ ଚେତାବନୀ ଦେଲେ ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ
ନୂଆଦିଲ୍ଲୀ : ଯେଉଁପରି ଭାବେ କୋରୋନା ମହାମାରୀର ଲହର ସାରା ବିଶ୍ୱରେ ବିସ୍ତାର କରୁଛି, ତାହା ଦେଖି ସମସ୍ତେ ଭୟଭୀତ ହୋଇପଡିଛନ୍ତି । ଓମିକ୍ରନ୍ ମାମଲା ସମଗ୍ର ବିଶ୍ୱକୁ ବିପଜ୍ଜନକ ଭାବରେ ଘେରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୨୮ ଟି ଦେଶରେ ଓମିକ୍ରନର ମାମଲା ନିଶ୍ଚିତ ହୋଇ ସାରିଛି । ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଯେ ଓମିକ୍ରନ୍ ଦୁର୍ବଳ ଭାବିବା ଉଚିତ୍ ନୁହେଁ ।
ଏକ ଟ୍ୱିଟ୍ କରି ସେ କହିଛନ୍ତି ଯେ ଓମିକ୍ରନକୁ ସାଧାରଣ ଥଣ୍ଡା-କାଶ ଭାବିବା ଉଚିତ୍ ନୁହେଁ । ଏହା ଲୋକମାନଙ୍କୁ ଅତି ଶୀଘ୍ର ସଂକ୍ରମିତ କରୁଛି । ଏହା ଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଚୁରମାର ହୋଇପାରେ । ସୌମ୍ୟା ସ୍ୱାମୀନାଥନ୍ ବିଶ୍ୱକୁ ନିବେଦନ କରିଛନ୍ତି ଯେ ବହୁ ସଂଖ୍ୟକ ରୋଗୀଙ୍କ ଟେଷ୍ଟ, ପରାମର୍ଶ ଏବଂ ନୀରିକ୍ଷଣ ପାଇଁ ଏକ ଦୃଢ଼ ବ୍ୟବସ୍ଥା ରହିବା ଜରୁରୀ ଅଟେ, କାରଣ ଓମିକ୍ରନ୍ କ୍ଷେତ୍ରରେ ଅଭିବୃଦ୍ଧି ହଠାତ୍ ଏବଂ ଅତି ଦ୍ରୁତ ହୋଇପାରେ । କେତେକ ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ୍ ଯୋଗୁଁ ହସ୍ପିଟାଲରେ ଯିବାର ଆଶଙ୍କା ବହୁତ କମ୍ ଅଟେ । ଏହି ପ୍ରସଙ୍ଗରେ, ଭାଇରୋଲୋଜିଷ୍ଟ ତଥା କୋଭିଡ-୧୯ ବୈଷୟିକ ଲିଡର ମୁଖ୍ୟ ମାରିଆ ୱାନ୍ କେର୍ଖୋଭ ମଧ୍ୟ କହିଛନ୍ତି ଯେ ଓମିକ୍ରନ୍ ସାଧାରଣ ଥଣ୍ଡା-କାଶ ନୁହେଁ । ସେ ଟ୍ୱିଟ୍ କରି କହିଛନ୍ତି, ‘କିଛି ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ୍ ସଂକ୍ରମିତ ହେବା ପରେ ହସ୍ପିଟାଲରେ ପହଞ୍ଚିବାର ଆଶଙ୍କା ଡେଲଟା ଠାରୁ କମ୍, ତଥାପି ଲୋକମାନେ ଏଥିରୁ ଅତି ଶୀଘ୍ର ସଂକ୍ରମିତ ହେଉଛନ୍ତି । ଏପରିକି ଉଭୟ ଡେଲଟା ଏବଂ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଲୋକମାନେ ହସ୍ପିଟାଲରେ ପହଞ୍ଚି ମୃତ୍ୟୁ ବରଣ କରୁଛନ୍ତି । ଜୀବନ ବଞ୍ଚାଇବା ପାଇଁ ଆମେ ସଂକ୍ରମଣକୁ ରୋକି ପାରିବା । ସେଥିପାଇଁ ଆମକୁ ଟିକା ଅସମାନତାକୁ ସମାପ୍ତ କରିବାକୁ ପଡିବ ।
ଯଦିଓ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଓମିକ୍ରନ୍ ଡେଲଟା ଭାରିଆଣ୍ଟ ଭଳି ବିପଜ୍ଜନକ ନୁହେଁ । ଲୋକମାନେ ଏହାକୁ ସାଧାରଣ ଥଣ୍ଡା-କାଶ ପରି ଗ୍ରହଣ କରୁଛନ୍ତି । କିଛି ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଓମିକ୍ରନ୍ ଏକ ପ୍ରାକୃତିକ ଟିକା ପରି କାମ କରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଖଣ୍ଡନ କରିଛି । ଡବ୍ଲୁଏଚଓ କହିଛି ଯେ ଓମିକ୍ରନ୍ ଟିକା ଭଳି ନୁହେଁ । ଏପର୍ଯ୍ୟନ୍ତ ସେପରି କୌଣସି ଗବେଷଣା କରାଯାଇ ନାହିଁ ଓ ଯାହା ଆଧାରରେ ଏହା କୁହାଯାଇପାରେ ଯେ ଓମିକ୍ରନ୍ ସଂକ୍ରମଣ ଏକ ପ୍ରାକୃତିକ ଟିକା ପରି କାମ କରିବ ।
