ଜୋହାନେସବର୍ଗ ଟେଷ୍ଟ : ଭାରତ ୨ୟ ଇନିଂସରେ ୨୬୬ରେ ଅଲଆଉଟ୍
ଜୋହାନେସବର୍ଗ : ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତୀୟ ଦଳ ନିଜର ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଛି ।
ତୃତୀୟ ଦିବସରେ ଭାରତ ୮୫/୨ରୁ ଖେଳ ଆରମ୍ଭ କରିଥିଲା । ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେ ଆଜି ମଧ୍ୟ ସେହି ଅନ୍ଦାଜରେ ବ୍ୟାଟିଂ କରିଥିଲେ । ବିଶେଷକରି ଆଜି ରାହାଣେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ପ୍ରଥମେ ପୂଜାରା ୬୨ ବଲରେ ଏବଂ ପରେ ରାହାଣେ ୬୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତର ସ୍କୋର ୧୫୦ ରନ୍ ଅତିକ୍ରମ କରିଥିଲେ । ତେବେ ଉଭୟ ରାହାଣେ ଓ ପୂଜାରାଙ୍କୁ ରବାଡା ଆଉଟ୍ କରି ଦକ୍ଷିଣ ଆଫ୍ରିକାକୁ ଡବଲ୍ ସଫଳତା ଦେଇଥିଲେ । ୱିକେଟ୍ କିପର ଋଷଭ ପନ୍ତ ଖାତା ଖୋଲିପାରିନଥିଲେ । ତେବେ ହନୁମା ବିହାରୀ, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶାର୍ଦ୍ଦୁଲ ଠାକୁରଙ୍କ ଯୋଗଦାନ ବଳରେ ଭାରତ ୨୬୬ ରନରେ ପହଂଚିପାରିଥିଲା । ବିହାରୀ ୪୦ ରନ୍ କରି ଅପରାଜିତ ଥିଲେ । ଶାର୍ଦ୍ଦୁଲ ୨୪ ବଲରେ ୫ ଚୌକା ଓ ୧ ଛକା ସହ ୨୮, ଅଶ୍ୱିନ୍ ୧୪ ବଲରେ ୧୬ ରନ୍ କରିଥିଲେ । ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଖାତା ଖୋଲିପାରିନଥିବା ବେଳେ ଯଶପ୍ରୀତ ବୁମ୍ରା ୭ ରନ୍ କରି ଆଉଟ୍ ହୋଇଥିଲେ ।
