ଘଡ଼ିଆଳ କୁମ୍ଭୀର ଉଦ୍ଧାର
ମାଲକାନଗିରି : ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ଗ୍ରାମ ନିକଟସ୍ଥ ସାମୁହିକ ପୋଖରୀରୁ ଏକ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ସଦାଶିବପୁର ଗାଁ ଲୋକେ ପୋଖରୀରୁ ମାଛ ଧରିବା ସମୟରେ ମାଛ ଜାଲରେ କୁମ୍ଭୀର ପଡିଯାଇଥିଲା । ସଂଗେ ସଂଗେ ଗ୍ରାମବାସୀ ବାଲିମେଳା ବନ ବିଭାଗକୁ ଜଣାଇଥିଲେ । ଖବର ପାଇ ତୁରନ୍ତ ବାଲିମେଳା ବନପାଳ ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ ।
କୁମ୍ଭୀରଟିକୁ ଉଦ୍ଧାର କରି ବାଲିମେଳା ସ୍ଥିତ ପଶୁ ଚିକିତ୍ସାଳୟକୁ ଆଣି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା । କୁମ୍ଭୀରଟିକୁ ୨ ଦିନ ବନ ବିଭାଗରେ ପର୍ଯ୍ୟବେକ୍ଷଣରେ ରଖାଯିବା ନେଇ ପଶୁ ଚିକତ୍ସକ କହିଛନ୍ତି । ଏହାପରେ ଏହି କୁମ୍ଭୀରଟିକୁ କୌଣସି ଜନଶୂନ୍ୟ ନଦୀ କିମ୍ବା ବାଲିମେଳା ଜଳ ଭଣ୍ଡାରରେ ଛଡ଼ାଯିବ ବୋଲି ବନପାଳ ସୂଚନା ଦେଇଛନ୍ତି । କିନ୍ତୁ ଏହି କୁମ୍ଭୀରଟି କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇପାରିନାହିଁ । ହୁଏତ ଅତ୍ୟଧିକ ବର୍ଷା ଫଳରେ କୁମ୍ଭୀରଟି ପାଖ ନଦୀ କିମ୍ବା ଜଳଭଣ୍ଡାରରୁ ଆସିଥିବ ବୋଲି ଜଣାପଡୁଛି । କୁମ୍ଭୀରଟିର ଲମ୍ବ ୪.୫ ଫୁଟ ଥିବାବେଳେ ବୟସ ପ୍ରାୟ ୬ବର୍ଷ ବୋଲି ବନପାଳ କହିଛନ୍ତି ।
