ଓମିକ୍ରନ ଭୟ : କର୍ଣ୍ଣାଟକରେ ସପ୍ତାହନ୍ତ କର୍ଫ୍ୟୁ, ନୂଆ ଗାଇଡଲାଇନ ଜାରି
ବେଙ୍ଗାଲୁରୁ : ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଦୁଇ ଦିନ ହେବ ହୁ ହୁ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ ମାମଲା । ବିଶେଷ କରି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା ଏହା ପରେ କର୍ଣ୍ଣାଟକରେ ମଧ୍ୟ ଦୁଇ ସପ୍ତାହ ଯାଏଁ ସପ୍ତାହନ୍ତ କର୍ଫ୍ୟୁ ଘୋଷଣା ହୋଇଛି । ଶୁକ୍ରବାର ରାତିରୁ ଏହି କର୍ଫ୍ୟୁ ଲାଗୁ ହେବ । ରାତି ୧୦ରୁ ସକାଳ ୫ ଯାଏଁ ଗଡିବନି ଗାଡି । ରାସ୍ତାରେ ଦେଖା ଦେବେନି ଲୋକ । କର୍ଣ୍ଣାଟକରେ ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଶୁକ୍ରବାର ରାତିରୁ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ପୂର୍ବରୁ କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା ।
ନୂଆ ଗାଇଡଲାଇନ ଅନୁଯାୟୀ ପବ, କ୍ଲବ, ରେସ୍ତୋରାଁ, ହୋଟେଲ, ସିନେମା ହଲ, ଥିଏଟର, ଅଡିଟୋରିୟମ, ସୁଇମିଂ ପୁଲ ଓ ଜିମଗୁଡ଼ିକ ୫୦% କ୍ଷମତାରେ ଚାଲିବେ। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି, ପ୍ରଥମ ଓ ଦ୍ବିତୀୟ ଲହର ବେଳେ ସଂକ୍ରମଣ ହାର ଯଥାକ୍ରମେ ୧୫ ଦିନ ଓ ୮ରୁ ୧୦ଦିନ ମଧ୍ୟରେ ଦୁଇଗୁଣ ହେଉଥିଲା। ହେଲେ ଏବେ ଏହା ୧ ରୁ ୨ ଦିନ ଭିତରେ ଦୁଇ ଗୁଣ ବଢ଼ୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ସୂଚନା ଯେ, କର୍ଣ୍ଣାଟକରେ ୨, ୪୭୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଗତ ୨୪ ଘଣ୍ଟାରେ ୫୮ହଜାର ୯୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
