ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶରୁ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବା ବେଳେ ଅନ୍ୟ ୧୯ ଜଣ ସ୍ଥାନୀୟ ସଂକ୍ରମିତ । ମୋଟ ୨୧୮ଟି ସାମ୍ପଲ ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇ ଥିବା ବେଳେ ୨୪ ଟି ନମୂନାରୁ ଓମିକ୍ରନ୍ ଭାରିଆଂଟ ଚିହ୍ନଟ ହୋଇଥିଲା । ଏନେଇ ଆଇଏଲଏସ୍ ପକ୍ଷରୁ ସ୍ୱାସ୍ଥ୍ୟବିଭାଗକୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି ।
ରାଜ୍ୟରେ କୋଭିଡ-୧୯ର ନୂଆ ଭାରିଆଂଟ ‘ଓମିକ୍ରନ୍’ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରୁ ଆଜି ୨୪ ଜଣ ଓମିକ୍ରନ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩ ଜଣ ଓଡିଶାରେ ଅଛନ୍ତି ଓ ଜଣେ ତାମିଲନାଡୁ ପଳାଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଥିବା ବେଳେ ୬ ଜଣ ହେଉଛନ୍ତି ମହିଳା । ସମସ୍ତ ଆକ୍ରାନ୍ତଙ୍କ ବୟସ ୧୯ ବର୍ଷରୁ ୬୫ ବର୍ଷ ହେବ । ଏଥିରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୭ ଜଣ ଅଛନ୍ତି । ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ, ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣ ୧୯ ଜଣ ଓ ୫ ଜଣ ବିଦେଶ ଫେରନ୍ତା । ସମସ୍ତଙ୍କର ଟ୍ରାକିଂ ସରିନାହିଁ । ନମୁନା ପରୀକ୍ଷାର ୧୨ ପ୍ରତିଶତ ପଜିଟିଭ । ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା । ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ।
