ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା : ଓଡିଶାରେ ୩,୨୯,୮୩,୬୪୩ ଭୋଟର
ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ ଗୋଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି । ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩,୮୨,୬୦୧ ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫,୨୩,୭୪୪ ହୋଇଛି । ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧,୬୭,୯୬,୬୦୩ ଜଣ ପୁରୁଷ ଭୋଟର ଓ ୧,୬୧,୮୩,୮୩୫ ଜଣ ମହିଳା ଭୋଟର ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ।
ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ ରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜି ଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍ www.ceoorissa.nic.in ରେ ତନଖି କରି ପାରିବେ । ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.inକୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର ର-ଋଚଓଉ ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖି ପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତି ନିମନ୍ତେ ସମୁଦାୟ ୧୮,୬୫,୫୭୦ ଗୋଟି ଦାବି-ଆପତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବୀ ଓ ଆପତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ ୬,୬୩,୪୬୯ ଅର୍ଥାତ୍ ୩୫.୫୬% ଦାବୀ ଓ ଆପତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।
