ଏମଓୟୁ ସ୍ବାକ୍ଷର! ଜମ୍ମୁ କାଶ୍ମୀରରେ ନିର୍ମାଣ ହେବାକୁ ଯାଉଛି ସବୁଠୁ ବଡ଼ ସପିଂ ମଲ୍
ଶ୍ରୀନଗର: ଭାରତର ଭୂସ୍ବର୍ଗ ଜମ୍ମୁକାଶ୍ମୀରର ଶ୍ରୀନଗର ଠାରେ ନିର୍ମାଣ ହେବାକୁ ଯାଉଛି ସବୁଠୁ ବଡ଼ ସପିଂ ମଲ୍ । ଦୁବାଇର ଏହି ଇମାର ଗ୍ରୁପ ଏହି ସପିଂ ମଲ ନିର୍ମାଣ କରିବାକୁ ଯାଉଛି । ଏଥିଲାଗି ଦୁବାଇ ଓ ଜମ୍ମୁକାଶ୍ମୀର ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି । ଏହି ସପିଂ ମଲ୍ଟି ପ୍ରାୟ ୫ ଲକ୍ଷ ବର୍ଗଫୁଟରେ ନିର୍ମାଣ ହେବ । କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଏହା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ବୋଲି ଜଣାପଡ଼ିଛି । ଏମଓୟୁ ଅନୁସାରେ ‘Emaar Mall’ ନାମରେ ଏହି ସପିଂ ମଲ୍ ଶ୍ରୀନଗରରେ ଠିଆ ହେବାକୁ ଯାଉଛି । ଆଗାମୀ ଦିନରେ ଏହି ମଲ୍ଟି ଶ୍ରୀନଗରର ଏକ ଲ୍ୟାଣ୍ଡମାର୍କ ହେବାକୁ ଯାଉଛି ।
ତେବେ ଭାରତରେ ଏଭଳି ଆହୁରି ଅନେକ ସପିଂ ମଲ୍ ଖୋଲିବାକୁ ଆଶା ରଖିଥିବା ୟୁଏଇର ଭାରତୀୟ ରାଷ୍ଟ୍ରଦୂତ ଏଚ.ଇ ଅହମ୍ମଦ ଅବଦୁଲ ରେହମାନ ଅଲବାନ୍ନା କହିଛନ୍ତି । ଭାରତ ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃ୍ଦ୍ଧି ପାଉଛି । ତେବେ ଭାରତରେ ପୁଞ୍ଜି କରିବା ପାଇଁ ସେ ଅନ୍ୟ v ଉଦ୍ୟୋଗିଙ୍କୁ ସ୍ବାଗତ କରୁଥିବା କହିଛନ୍ତି । ଏହି ସପିଂ ମଲ୍କୁ ଆକର୍ଷଣୀୟ ଢଙ୍ଗରେ ନିର୍ମାଣ କରାଯିବାକୁ ଥିବା ବେଳେ ଏହା ଶ୍ରୀନଗରର ଶୋଭା ବୃଦ୍ଧି କରିବ ବୋଲି କହିଛନ୍ତି ଅଲବାନ୍ନା । ସୂଚନା ଯେ, ଜମ୍ମୁକାଶ୍ମୀର ସରକାର ପ୍ରାୟ ୧୯ କୋଟି ମୂଲ୍ୟର ୩୯ଟି ଏମଓୟୁ ସ୍ବାକ୍ଷର କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଟି ଏମଓୟୁ ହାଉସିଂ ପ୍ରୋଜେକ୍ଟର ବିକାଶ ପାଇଁ ରହିଛି । ଏଥିରୁ ୭ଟି ଏମଓୟୁ ବ୍ୟବସାୟ ସହିତ ଯୋଡ଼ି ହୋଇଥିବା ବେଳେ ୪ଟି ହସ୍ପିଟାଲିଟି, ୩ଟି ଇନଫ୍ରାଟେକ୍, ୩ଟି ମନୋରଞ୍ଜନ ଓ ୨ଟି ଫାଇନାନ୍ସ ପ୍ରୋଜେକ୍ଟ ସହିତ ଜଡ଼ିତ ।
