ଆରେଞ୍ଜଡ ମ୍ୟାରେଜ କରିବାକୁ ଚାହୁଁଥିଲେ ଏସବୁ ଉପରେ ଧ୍ୟାନ ରଖନ୍ତୁ, ମିଳିବ ଉପଯୁକ୍ତ ଜୀବନସାଥୀ
ଆରେଞ୍ଜଡ ମ୍ୟାରେଜ କରିବାକୁ ଚାହୁଁଥିଲେ ଉପଯୁକ୍ତ ଜୀବନସାଥୀ ଚୟନ କରିବା ବହୁତ ଜରୁରୀ ହୋଇଥାଏ। ଏପରିସ୍ଥଳେ କିଛି କଥା ଧ୍ୟାନରେ ରଖିଲେ ଆରେଞ୍ଜଡ ମ୍ୟାରେଜରେ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ବହୁତ ବଢ଼ିଯାଏ।
ଯାହା ସହିତ ବାହାଘର ସ୍ଥିର ହୋଇଛି, ତାଙ୍କୁ ପ୍ରଥମ ଥର ଭେଟିବାକୁ ଗଲାବେଳେ ବାହାଘର ପାଇଁ ତାଙ୍କ ଇଚ୍ଛା ସମ୍ପର୍କରେ ପଚାରନ୍ତୁ। ଆପଣଙ୍କୁ ବିବାହ କରିବାକୁ ସେ ପ୍ରସ୍ତୁତ ଅଛନ୍ତି କି ନାହିଁ ପଚାରନ୍ତୁ। କେବଳ ପ୍ରଥମ ଥର ଦେଖାରେ ନୁହେଁ, ଏହା ପରେ ବି ଯେତେବେଳେ ଦେଖା ହେଉଛନ୍ତି ଏ ସମ୍ପର୍କରେ ତାଙ୍କ ସହିତ କଥା ହୁଅନ୍ତୁ। ସମସ୍ତେ ଚାହାନ୍ତି, ତାଙ୍କ ପାର୍ଟନର ତାଙ୍କ ପ୍ରତି ବିଶ୍ବସ୍ତ ହୁଅନ୍ତୁ। କିନ୍ତୁ ବାସ୍ତବରେ ପାର୍ଟନରଙ୍କ ବିଶ୍ବସନୀୟତା ଶୀଘ୍ର ଆକଳନ କରାଯାଇ ପାରି ନ ଥାଏ। ଏଥିସହିତ ତାଙ୍କ ପସନ୍ଦ ନାପସନ୍ଦ, ଆର୍ଥିକ ସ୍ଥିତି ତଥା ଅତୀତ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ।
ପାର୍ଟନରଙ୍କ ସହିତ ପ୍ରଥମ ଥର ଦେଖା ହେବା ସମୟରେ ଆପଣ ଦୁହେଁ ପରସ୍ପର ସହିତ ସହଜ ଅନୁଭବ କରୁଛନ୍ତି କି ନାହିଁ ଧ୍ୟାନ ଦିଅନ୍ତୁ। ପରସ୍ପର ସହ ସହଜ ଅନୁଭବ କଲେ ହିଁ ଭବିଷ୍ୟତରେ ସମ୍ପର୍କର ଡୋରି ମଜବୁତ ହୋଇପାରିବ। ଆପଣ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି, ସେ ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦେଉଛନ୍ତି କି ନାହିଁ, ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କ ପ୍ରତି ତାଙ୍କର ବ୍ୟବହାର କିପରି ରହିଛି, ତାହା ଦେଖନ୍ତୁ। କାରଣ ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦେଇ ଜାଣିଛନ୍ତି, ସେ ଆପଣଙ୍କ ପାଇଁ ଜଣେ ଉପଯୁକ୍ତ ଜୀବନସାଥୀ ହୋଇପାରିବେ।
