ଆଇସିସି ପୁରୁଷ ‘କ୍ରିକେଟର୍ ଅଫ୍ ଦ ଇୟର’ ପୁରସ୍କାର ଦୌଡ଼ରେ ନାହାନ୍ତି ଭାରତୀୟ
ଦୁବାଇ: ବିଦାୟୀ ୨୦୨୧ ବର୍ଷ ପାଇଁ ଆଇସିସି ପୁରୁଷ ‘କ୍ରିକେଟର୍ ଅଫ୍ ଦ ଇୟର’ ପୁରସ୍କାର ଦୌଡ଼ରେ ଜଣେ ହେଲେ ଭାରତୀୟ ଖେଳାଳି ନାହାନ୍ତି। ବରଂ ତିନିଟିଯାକ ଫର୍ମାଟ୍ରେ ବର୍ଷ ସାରା ପ୍ରଭାବୀ ପ୍ରଦର୍ଶନ ଦେଇଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍, ନ୍ୟୁଜିଲାଣ୍ଡ୍ ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କ ସହିତ ପାକିସ୍ତାନ ଯୋଡ଼ି ଶାହୀନ ଶାହ ଆଫ୍ରିଦି ଓ ମହମ୍ମଦ ରିଜ୍ୱାନ ଆଇସିସିର ଏହି କାଣ୍ଟଛାଣ୍ଟ୍ ତାଲିକାରେ ଯୋଡ଼ି ହୋଇଛନ୍ତି। ଏହି ପୁରସ୍କାର ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍ (ଟେଷ୍ଟ୍, ଦିନିକିଆ ଓ ଟି-୨୦)ରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ହିଁ ଦିଆଯିବ। ପୁରସ୍କାର ବିଜେତାଙ୍କ ନାମ ଆସନ୍ତା ୨୪ ତାରିଖରେ ଘୋଷଣା କରାଯିବ ଏବଂ ସେ ହିଁ ସାର୍ ଗାରିଫିଲ୍ଡ ସୋବର୍ସ ଟ୍ରଫି ଗ୍ରହଣ କରିବେ।
୨୦୨୧ ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଲେ ରୁଟ୍ ୧୮ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫୮.୩୭ ହାରେ ୧୮୫୫ ରନ୍ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ସାମିଲ କରିଛନ୍ତି। ସେଥିରେ ୬ ଶତକ ସାମିଲ ରହିଛି। ଶ୍ରୀଲଙ୍କା ବିପକ୍ଷ ଗଲ୍ ଟେଷ୍ଟ୍ରେ ୨୨୮ ରନ୍ର ମାରାଥନ୍ ପାଳିରୁ ବର୍ଷ ଆରମ୍ଭ କରିଥିଲେ ରୁଟ୍। ଏହାପରେ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟ୍ରେ ୨୧୮ ରନ୍ର ଆକର୍ଷଣୀୟ ପାଳି ଖେଳିଥିଲେ। ଭାରତ ବିପକ୍ଷ ପାଲଟା ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ସେ ତାଙ୍କ ପ୍ରଦର୍ଶନ ଜାରି ରଖି ୪ ମ୍ୟାଚ୍ରୁ ୩ ଶତକ ସହାୟତାରେ ୫୬୪ ରନ୍ କରିଥିଲେ। ଏହି ପ୍ରଦର୍ଶନ ମଧ୍ୟ ତାଙ୍କୁ ଆଇସିସି ଟେଷ୍ଟ୍ ଖେଳାଳିଙ୍କ ମାନ୍ୟତାରେ ଶିଖରରେ ପହଞ୍ଚିବାରେ ସହାୟକ ହୋଇଥିଲା। ଶେଷରେ ଇଂଲଣ୍ଡ ଦଳ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ତିନି ଆସେସ୍ ଟେଷ୍ଟ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ବେଳେ ରୁଟ୍ ତାଙ୍କ ଦଳର ଶ୍ରେଷ୍ଠ ବ୍ୟାଟର୍ ରହିଥିଲେ। ରୁଟ୍ଙ୍କ ତୁଳନାରେ ୱିଲିୟମ୍ସନ୍ ୧୬ ଆନ୍ତର୍ଜାତିକ ମ୍ୟାଚ୍ରୁ ୪୩.୩୧ ହାରରେ ୬୯୩ ରନ୍ କରିଥିଲା ବେଳେ ଗୋଟିଏ ଶତକ ସାମିଲ ଥିଲା। ତାଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ୍ ମଧ୍ୟ ଭାରତକୁ ପରାସ୍ତ କରି ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲୁଟିସି) ବିଜେତା ହୋଇଥିଲା। ଡବ୍ଲୁଟିସି ଫାଇନାଲ୍ର ଉଭୟ ପାଳିରେ ୱିଲିୟମ୍ସନ୍ ୪୯ ଓ ୫୨* ରନ୍ କରିଥିଲେ। ପୁଣି ଟି-୨୦ ବିଶ୍ବକପ୍ରେ ମଧ୍ୟ ତାଙ୍କ ନେତୃତ୍ବ ଗୁରୁତ୍ବପୂର୍ଣ୍ଣ ରହିଥିଲା। ଯାହାର ଫଳସ୍ବରୂପ ନ୍ୟୁଜିଲାଣ୍ଡ୍ ଫାଇନାଲ୍ରେ ପହଞ୍ଚିଥିଲା।
ଅନ୍ୟପକ୍ଷରେ ପାକିସ୍ତାନ ୱିକେଟ୍ରକ୍ଷକ ବ୍ୟାଟର୍ ରିଜ୍ୱାନଙ୍କ ପାଇଁ ୨୦୨୧ ଅତ୍ୟନ୍ତ ଶୁଭଙ୍କର ଥିଲା। ସେ ୪୪ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିଲା ବେଳେ ୫୬.୩୨ ହାରରେ ୧୯୧୫ ରନ୍ ସଂଗ୍ରହ କରିଥିଲେ। ସେ ୨ ଶତକ ହାସଲ କରିଥିଲା ବେଳେ ୱିକେଟ୍ ପଛପଟେ ୫୬ ଡିସ୍ମିସାଲ ପାଇଥିଲେ। ବିଶେଷକରି ଟି-୨୦ ଫର୍ମାଟ୍ରେ ୨୯ ମ୍ୟାଚ୍ରୁ ୧୩୨୬ ରନ୍ କରିଥିଲେ। ତାଙ୍କ ହାରାହାରି ୭୩.୬୬ ଏବଂ ଷ୍ଟ୍ରାଇକ୍ ରେଟ୍ ୧୩୪.୮୯ ଥିଲା। ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପାକିସ୍ତାନ ଟି-୨୦ ବିଶ୍ବକପ୍ର ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଟେଷ୍ଟ୍ରେ ୯ ମ୍ୟାଚ୍ରୁ ୪୫.୫୦ ହାରରେ ୪୫୫ ରନ୍ କରିଥିଲେ। ଅନ୍ୟତମ ପାକିସ୍ତାନୀ ତଥା ଦ୍ରୁତ ବୋଲର ଆଫ୍ରିଦି ୨୦୨୧ରେ ୩୬ ଆନ୍ତର୍ଜାତିକ ମ୍ୟାଚ୍ରୁ ୨୨.୨୦ ହାରରେ ୭୮ ୱିକେଟ୍ ଦଖଲ କରିଥିଲେ। ତାଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର ୬/୫୧ ଥିଲା। ତିନି ଫର୍ମାଟ୍ରେ ସେ ବ୍ୟାଟ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ଟି-୨୦ ବିଶ୍ବକପ୍ରେ ୬ ମ୍ୟାଚ୍ରୁ ସେ ୭ ୱିକେଟ୍ ନେଇଥିଲେ। ପୂରା ବର୍ଷରେ ଏହି ଫର୍ମାଟ୍ରେ ୨୧ ମ୍ୟାଚ୍ ଖେଳି ୨୩ ୱିକେଟ୍ ନେଇଥିଲେ। ସେ ମଧ୍ୟ ୯ ଟେଷ୍ଟ୍ରୁ ୧୭.୦୬ ହାରରେ ୪୭ ୱିକେଟ୍ ଦଖଲ କରିଥିଲେ।
