ମେସିଙ୍କ ସମେତ ଆଉ ୪ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : ଓମିକ୍ରନ୍ ଆକ୍ରାନ୍ତ ମଧ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହର ଦେଖାଦେଲାଣି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆର୍ଜେଂଟିନାର ଅଧିନାୟକ ଲିଓନେସ ମେସି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ମେସି ନିଜକୁ ଆଇସୋଲେଟ୍ କରିଛନ୍ତି । ସେହିପରି ମେସିଙ୍କ ସମେତ ଆଉ ଚାରି ଖେଳାଳି ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଅନ୍ୟ ଖେଳାଳି ହେଉଛନ୍ତି ଜୁଆନ ବର୍ଣ୍ଣାଟ, ବ୍ୟାକଅପ୍ ଗୋଲକିପର ସର୍ଜିଆ ରିକୋ ଏବଂ ୧୯ ବର୍ଷୀୟ ମିଡ୍ଫିଲଡର ବିତୁମାଜାଲା ।
ସୂଚନା ଯେ, ଗତ ମାସ ଅଗଷ୍ଟରେ ଫ୍ରାନ୍ସର କ୍ଲବ ପ୍ୟାରିସ୍ ସେଂଟ ଜର୍ମାନ (ପିଏସ୍ଜି) ସହ ଚୁକ୍ତିନାମା କରିଥିବା ଦୁନିଆର ସର୍ବଶ୍ରେଷ୍ଠ ଖେଳାଳି ମଧ୍ୟରେ ଥିବା ମେସିଙ୍କୁ ସୋମବାର ରାତିରେ ଫ୍ରେଂଚ କପ୍ ଖେଳିବାର ଥିଲା । ତେବେ ମ୍ୟାଚ୍ ପୂର୍ବରୁ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପିଏସଜି ସହିତ ଏହି ତାରକା ଖେଳାଳିଙ୍କ ପ୍ରଦର୍ଶନ ଆଶାନୁରୂପ ରହିନାହିଁ । ସେ ଲିଗ୍-୧ର ୧୧ ମ୍ୟାଚ୍ରେ ମାତ୍ର ଗୋଟିଏ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ । ସେହିପରି ଚାମ୍ପିଅନ୍ସ ଲିଗ୍ରେ ପିଏସଜି ପକ୍ଷରୁ ପାଂଚ ମ୍ୟାଚ୍ରୁ ପାଂଚ ଗୋଲ୍ ଦେଇଥିଲେ । ମେସି ଗତ ବର୍ଷ ଅଗଷ୍ଟ ୧୧ରେ କ୍ଲବ୍ ସହିତ ରାଜିନାମା କରିଥିଲେ । ଏବେ କରୋନା ଚିହ୍ନଟ ପରେ ସେ ଫ୍ରେଂଚ କପ୍ ଖେଳିବେ ନାହିଁ ବୋଲି ଜଣା ପଡିଛି ।
