ଓଡିଶାକୁ ୮୩୦.୮୫ କୋଟିର ଅନୁଦାନ ଦେଲା କେନ୍ଦ୍ର
ଭୁବନେଶ୍ୱର : ‘ଜଳ ଜୀବନ ମିଶନ’ର ଅଗ୍ରଗତି ପାଇଁ ଓଡିଶାକୁ ୮୩୦.୮୫ କୋଟିର ଅନୁଦାନ ଦେଲା କେନ୍ଦ୍ର । ଓଡ଼ିଶାର ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଏହି ଟଙ୍କା ପ୍ରଦାନ କରିଛି କେନ୍ଦ୍ର । ଏଏନଆଇ ରିପୋର୍ଟ ଅନୁସାରେ, ଓଡିଶାର ଗ୍ରାମାଞ୍ଚଳରେ ବସବାସ କରୁଥିବା ୮୫.୮୭ ପରିବାର ମଧ୍ୟରୁ ୩୫.୩୭ ଲକ୍ଷ ପରିବାରଙ୍କ ପାଖରେ ପାନୀୟ ଜଳ ଉପଲବ୍ଧ ହୋଇଛି । ଯାହା ୪୧.୨୮ ପ୍ରତିଶତ । ଘର ଘରକୁ ପିଇବା ପାଣି ଯୋଜନା ବି ରାଜ୍ୟରେ ଆଗେଇ ଚାଲିଛି । ସରକାର ସବୁ ପରିବାରକୁ ପିଇବା ପାଣି ଯୋଗାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।
କେନ୍ଦ୍ର ସରକାର ପ୍ରତି ଘରକୁ ପିଇବା ପାଣି ସଂଯୋଗ ପାଇଁ ଜଳ ଜୀବନ ମିଶନ ଆରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟରେ ୩୩୨୩.୪୨ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଏହା ମଧ୍ୟରୁ ଓଡିଶାକୁ ୮୧୨.୧୫ କୋଟି ଟଙ୍କା ପ୍ରଦାନ ନେଇ ସ୍ଥିର କରାଯାଇଥିଲା । ଏବେସୁଦ୍ଧା ଓଡିଶାରେ ୩୬୯୫ଟି ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇଛି ।୨୩୪୫ଟି ଗାଁରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ୩୬୩୭୨ ସ୍କୁଲ ଓ ୨୯୦୯୭ ଅଙ୍ଗନବାଡି କେନ୍ଦ୍ରରେ ପିଇବା ପାଣି ସଂଯୋଗ ହୋଇଛି । ୬ଟି ସଂସ୍ଥାକୁ ଗ୍ରାମାଞ୍ଚଳରେ ସଚେତନତା ପାଇଁ ଦାୟିଚ୍ୱ ପ୍ରଦାନ କରାଯାଇଛି । ପଞ୍ଚାୟତ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯାଉଛି । ଏହାସହ ୧୭୭୫୬ ମହିଳାଙ୍କୁ ଜଳର ମାନ ପରୀକ୍ଷା ପାଇଁ ଟେଷ୍ଟିଂ କିଟ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ୨୦୨୪ ସୁଦ୍ଧା ସବୁ ଘରକୁ ପାଣି ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡିଶା ସରକାର । କେନ୍ଦ୍ର ସରକାରଙ୍କ ଏହି ସହାୟତା ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।
