କରୋନାର ୮ ଲକ୍ଷଣକୁ ତାଲିକାଭୁକ୍ତ କଲେ କେନ୍ଦ୍ର, ଏହି ଲକ୍ଷଣ ଥିଲେ ଟେଷ୍ଟ କରିବାକୁ ପରାମର୍ଶ
ନୂଆଦିଲ୍ଲୀ : କରୋନାର ୮ ଲକ୍ଷଣକୁ ତାଲିକାଭୁକ୍ତ କଲେ କେନ୍ଦ୍ର । କାଶ କିମ୍ବା ବିନା କାଶ ସହ ଜ୍ବର, ମୁଣ୍ଡବିନ୍ଧା, ଗଳା ସଂକ୍ରମଣ, ଅଣନିଶ୍ବାସୀ ଲାଗିବା, ଶରୀରରେ ଯନ୍ତ୍ରଣା, ସ୍ବାଦ ଏବଂ ଘ୍ରାଣ ଶକ୍ତି ହରାଇବା, ଅତ୍ୟନ୍ତ କ୍ଳାନ୍ତ ଲାଗିବା ଏବଂ ଡାଇରିଆକୁ କରୋନା ଲକ୍ଷଣ ଭାବେ ତାଲିକାଭୁକ୍ତ କରାଯାଇଛି। ଏଥିସହ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ୍ କରିବାପାଇଁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ଆଇସିଏମ୍ଆର ଡିଜି ଡାକ୍ତର ବଳରାମ ଭାର୍ଗବ ଆଜି ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ଦେଶରେ କରୋନା ସଂକ୍ରମଣ ଅଚାନକ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି। ରୢାପିଡ ଆଣ୍ଟିଜେନ୍ ଟେଷ୍ଟ୍ ଏବଂ ହୋମ୍ ଟେଷ୍ଟ୍ କିଟ୍ର ବ୍ୟବହାର ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ହେବ।
କରୋନାର ତୃତୀୟ ଲହରରେ ବଦଳିଛି ଲକ୍ଷଣ । ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ନେଇ ଗବେଷଣା କରିବା ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ ବି ଯଥେଷ୍ଟ କମ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରଠାରୁ ଏ ଲକ୍ଷଣ ପୂରା ଅଲଗା । ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ମୋଟାମୋଟି ଭାବରେ କୁହାଯାଇପାରେ ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
