ନୁଆବର୍ଷର ଇତିହାସ! କାହିଁକି ଜାନୁଆରୀ ପହିଲାରେ ପାଳନ ହୁଏ ନୂଆବର୍ଷ? ପୂର୍ବରୁ ଦୁଇଥର ବଦଳିଛି ତାରିଖ
ରାତି ପାହିଲେ ବଦଳିବ କ୍ୟାଲେଣ୍ଡର। ଆରମ୍ଭ ହେବ ଆଉ ଏକ ନୂଆବର୍ଷ। ପୁରୁଣା ବର୍ଷ ୨୦୨୧ର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ରାତି ୧୨ ପରେ ଇଂରାଜୀ ନବବର୍ଷ ଅର୍ଥାତ ୨୦୨୨ ମସିହା ଆରମ୍ଭ ହେବ। ନୂଆବର୍ଷକୁ ଆନନ୍ଦ, ଉଲ୍ଲାସ ଓ ଉତ୍ସାହର ସହିତ ସ୍ୱାଗତ କରିବାକୁ ଲୋକେ ଏବେଠାରୁ ପ୍ରସ୍ତୁତ ହୋଇଯାଇଛନ୍ତି। କିନ୍ତୁ କୋରୋନା କଟକଣା ପାଇଁ କିଛି ମାତ୍ରାରେ ନ୍ୟୁ ଇୟର ସେଲିବ୍ରେସନ ଫକା ପଡିପାରେ। ତେବେ ଆପଣ ଜାଣନ୍ତି କି ପୂର୍ବରୁ ନୂଆବର୍ଷ କେଉଁ ତାରିଖରେ ପାଳନ କରାଯାଉଥିଲା?
ନୂତନ ବର୍ଷରେ ଲୋକମାନେ ସେମାନଙ୍କର ପୁରୁଣା ସ୍ମୃତିକୁ ଭୁଲି ଏକ ନୂତନ ଜୀବନ ଆରମ୍ଭ କରନ୍ତି। ପ୍ରାୟ ସମସ୍ତେ ଜାନୁଆରୀ ପହିଲାରୁ ଜୀବନରେ କିଛି ନୂଆ କରିବା ଓ ପୁରୁଣାକୁ ଛାଡିବାର ପ୍ରତିଶୃତି କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପୂର୍ବରୁ ଜାନୁଆରୀ ଏକ ତାରିଖରେ ନୂଆ ବର୍ଷ ପାଳନ କରାଯାଉନଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ। ଜାନୁଆରୀ ପହିଲା ପୂର୍ବରୁ ଦୁଇ ଥର ନୂଆବର୍ଷ ତାରିଖରେ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା କେବେ ଓ କାହିଁକି ନୂଆବର୍ଷ ତାରିଖ ବଦଳାଗଲା।
ମଙ୍ଗଳ ଗ୍ରହର ନାମ ଅନୁସାରେ ମାର୍ଚ୍ଚ ମାସର ନାମକରଣ କରାଯାଇଛି। ରୋମରେ ମଙ୍ଗଳ ଗ୍ରହକୁ ଯୁଦ୍ଧର ଦେବତା ଭାବରେ ବିବେଚନା କରାଯାଏ। ପ୍ରଥମେ ସୃଷ୍ଟି ହୋଇଥିବା କ୍ୟାଲେଣ୍ଡରରେ ମାତ୍ର ୧୦ଟି ମାସ ଓ ଗୋଟିଏ ବର୍ଷରେ ୩୧୦ ଦିନ ଥିଲା। ସେତେବେଳେ ୮ ଦିନରେ ଏକ ସପ୍ତାହ ହେଉଥିଲା। ସେହି ସମୟରେ ମାର୍ଚ୍ଚ ୨୫ ତାରିଖରେ ନୂଆବର୍ଷ ପାଳନ କରାଯାଉଥିଲା। ରୋମର ରାଜା ନୁମା ପନ୍ପିଲସ୍ ପ୍ରଥମେ ରୋମାନ୍ କ୍ୟାଲେଣ୍ଡରରେ ପରିବର୍ତ୍ତନ କରିଥିଲେ। ଏହା ପରେ ଜାନୁଆରୀକୁ ରୋମାନ୍ କ୍ୟାଲେଣ୍ଡରରେ ବର୍ଷର ପ୍ରଥମ ମାସ ବୋଲି ଧରାଗଲା। ଯେଉଁଠାରେ ପୂର୍ବରୁ ମାର୍ଚ୍ଚ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଯାଉଥିଲା |
ଏହା ପରେ ରୋମରେ ଶାସକ ଜୁଲିୟସ୍ ସିଜର କ୍ଷମତାକୁ ଆସିଥିଲେ। ସେ ପୁନର୍ବାର ରୋମାନ୍ କ୍ୟାଲେଣ୍ଡର ବଦଳାଇଲେ। ଜୁଲିୟସ୍ ସିଜର, ନୁମା ପନ୍ପିଲସଙ୍କ ୧୦ ମାସିଆ କ୍ୟାଲେଣ୍ଡରେ ପରିବର୍ତ୍ତନ ଆଣି ତାକୁ ୧୨ ମାସ କଲେ। ଜ୍ୟୋତିର୍ବିଜ୍ଞାନୀମାନଙ୍କ ପରାମର୍ଶ ପରେ ଜୁଲିୟସ୍ ସିଜର ନୂଆ କ୍ୟାଲେଣ୍ଡର ତିଆରି କରିଥିଲେ। ଜ୍ୟୋତିର୍ବିଜ୍ଞାନୀମାନଙ୍କ ସହ ଆଲୋଚନା ବେଳେ ସେ ଜାଣିବାକୁ ପାଇଲେ ଯେ, ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମା ପାଇଁ ପୃଥିବୀକୁ ୩୬୫ ଦିନ ଏବଂ ଛଅ ଘଣ୍ଟା ଲାଗେ। ଏହି କାରଣରୁ, ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩୬୫ ଦିନ କଲେ। ବର୍ଷକର ଦିନ ସଂଖ୍ୟା ବୃଦ୍ଧି ପାଇବାରୁ ଜୁଲିୟସ୍ ସିଜର ଡିସେମ୍ବର ୨୫କୁ ନୂଆବର୍ଷ ଘୋଷଣା କରିଥିଲେ।
୧୫୮୨ ମସିହାରେ ପୋପ୍ ଗ୍ରେଗୋରୀ, ଜୁଲିୟାନ୍ କ୍ୟାଲେଣ୍ଡରରେ ଲୁପ୍ ଇୟର ବା ଅଧିବର୍ଷର ଆବିଷ୍କାର କରିଥିଲେ। ତତ୍କାଳୀନ ପ୍ରସିଦ୍ଧ ଧାର୍ମିକ ନେତା ସେଣ୍ଟ ବିଡ୍ ଦ୍ୱାରା ପୋପ୍ ଗ୍ରେଗୋରୀଙ୍କୁ ପରାମର୍ଶ ଦିଆଯାଇଥିଲା ଯେ, ୩୬୫ ଦିନ, ୫ ଘଣ୍ଟା ୪୬ ସେକେଣ୍ଡରେ ଗୋଟିଏ ବର୍ଷ ହୁଏ। ଏହା ପରେ ରୋମାନ୍ କ୍ୟାଲେଣ୍ଡରରେ ଏକ ବଡ ପରିବର୍ତ୍ତନ କରି ଆଉ ଗୋଟିଏ ନୂତନ କ୍ୟାଲେଣ୍ଡର ତିଆରି ହେଲା। ସେବେଠାରୁ ଡିସେମ୍ବର ୨୫ ବଦଳରେ ଜାନୁଆରୀ ଏକ ତାରିଖରେ ନୂଆବର୍ଷ ପାଳନ କରାଯାଉଛି।
