ଆଜିଠୁ ୩ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ନୂଆ ବର୍ଷରେ ଜଗା ଦର୍ଶନ କରିପାରିବେନି ସର୍ବସାଧାରଣ
ପୁରୀ : ରାତି ପାହିଲେ ନୂଆ ବର୍ଷ । ବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଭିକ୍ଷା କରିଥାନ୍ତି ସମଗ୍ର ଦେଶରୁ ଆସିଥିବା ଶ୍ରଦ୍ଧାଳୁ। କିନ୍ତୁ ଓମିକ୍ରନ୍ ମୁକାବିଲା ପାଇଁ ଆଜି ଠାରୁ ତିନିଦିନ ଧରି ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହୁଥିବାରୁ ସମସ୍ତଙ୍କ ମନରେ ଦୁଃଖ। ସେପଟେ ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ କଟକଣା ଲାଗିଥିବା ବେଳେ ପର୍ଯ୍ୟଟକମାନେ ବେଳାଭୂମିର ମଜା ନେବା ସହ ଓଟ, ଘୋଡା, ଦୋଳିରେ ବସି ମଜା ଉଠାଉଛନ୍ତି।
ଅତ୍ୟଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧, ଜାନୁଆରୀ ୧ ଓ ୨ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ଛତିଶା ଓ ପରିଚାଳନା କମିଟି ବୈଠକରେ ଯଥେଷ୍ଟ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହି ବର୍ଷ ପାଇଁ ଆଜି ହେଉଛି ଶେଷ ଦର୍ଶନ। ତେଣୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ ଟୀକାକରଣ ରିପୋର୍ଟ ମଧ୍ୟରୁ ଯେକୌଣସି ଗୋଟିଏ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଏହି ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସିଂହଦ୍ବାର ସମ୍ପୂର୍ଣ୍ଣ ଖାଁ ଖାଁ ହୋଇଛି । ମଙ୍ଗୁ ମଠ ନିକଟରେ ହୋଇଥିବା ବ୍ୟାରିକେଡ ନିକଟରେ ଭକ୍ତମାନେ ଛିଡା ହୋଇ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ସ୍ମରଣ କରିଛନ୍ତି। ତେବେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ଡିସେମ୍ବର ୩୧ ଶୁକ୍ରବାର ଓ ଜାନୁଆରୀ ୧ ନୂଆବର୍ଷ ଓ ପରଦିନ ରବିବାର ପଡ଼ୁଥିବାରୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ କାଳିଆ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।
