ଓମିକ୍ରନ ଆତଙ୍କ : ରଦ୍ଦ ହେବ ୫ ରାଜ୍ୟର ବିଧାନସଭା ନିର୍ବାଚନ !
ନୂଆଦିଲ୍ଲୀ : ସାରା ଦେଶରେ କୋରୋନା ଓ ଓମିକ୍ରନ ଆତଙ୍କ ପୁଣିଥରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ସମୟ ମଧ୍ୟରେ ଆସନ୍ତାବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ ବିଧାନସଭା ନିର୍ବାଚନ ଏବଂ ନିର୍ବାଚନ ସମାବେଶ ସ୍ଥଗିତ ରଖିବାକୁ ମତ ଦେଇଛନ୍ତି ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏସ.ୱାଇ କ୍ୟୁରେଶି ।
ପ୍ରକୃତରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୋମବାର ଭାରତ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକରେ ଓମିକ୍ରନର ସ୍ଥିତି ଓ ଗମ୍ଭୀରତାକୁ ନେଇ ଏକ ତଥ୍ୟ ସମ୍ପର୍କିତ ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି। ଏହା ଉପରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସୱାଇ କ୍ୟୁରେଶି ନିର୍ବାଚନ ସ୍ଥଗିତ ରଖିବା ସମ୍ବିଧାନର ଉଲ୍ଲଂଘନ ହେବ, ଏହି ପ୍ରଶ୍ନ ତ ଉଠିନାହିଁ। ରାଲି ଉପରେ ପ୍ରତିବନ୍ଧକ ଲଗାଇବା ଭଲ ହେବ, ଏହି ନିୟମ ସମସ୍ତ ରାଜନୈତିକ ଦଳ ପାଇଁ ପ୍ରଯୁଜ୍ୟ ହେବ ।
ସୂଚନା ଅନୁଯାୟୀ, ଜାନୁଆରୀ ଆରମ୍ଭରେ ପୁନର୍ବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗର ଏକ ବୈଠକ ହୋଇପାରେ। ଯଦିଓ ଅନୁଷ୍ଠିତ ବୈଠକ ପୂର୍ବରୁ କଳ୍ପନାଜଳ୍ପନା କରାଯାଇଥିଲା ଯେ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି, କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବୈଠକରେ ସେପରି କୌଣସି ଔପଚାରିକ ଭାବେ ନିଷ୍ପତ୍ତି ନିଆଯାଇ ନାହିଁ। ସେପଟେ ଆସନ୍ତା ତିନି ମାସ ମଧ୍ୟରେ ସଂକ୍ରମଣ ଦ୍ରୁତଗତିରେ ବିସ୍ତାର ହୋଇପାରେ ନା ନାହିଁ ତାହା ଉପରେ ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଉପରେ ନଜର ରଖିବାକୁ କହିଛନ୍ତି। ଏହା ଉପରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏହା କୁହାଯାଇପାରିବ ନାହିଁ, କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ମାମଲା ଆଗକୁ ୨୫ ପ୍ରତିଶତ ବଢିପାରେ।
