ନୀତି ଆୟୋଗ ହେଲଥ ଇଣ୍ଡେକ୍ସ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟପରେ କେରଳ, ୧୪କୁ ଖସିଲା ଓଡ଼ିଶା
ନୂଆଦିଲ୍ଲୀ : ନୀତି ଆୟୋଗଙ୍କ ଦ୍ବାରା ପ୍ରକାଶିତ ହୋଇଛି ୨୦୧୯-୨୦ ରାଜ୍ୟ ସ୍ବାସ୍ଥ୍ୟ ସୂଚକାଙ୍କ । ଏହି ଜାତୀୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିରେ ଉନ୍ନତ ପ୍ରଦର୍ଶନ କରି କେରଳ ବୃହତ ବର୍ଗରେ ତାଲିକାର ଶୀର୍ଷରେ ରହିଛି । ବୃହତ ରାଜ୍ୟ ବର୍ଗରେ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ପଛକୁ ତାମିଲନାଡୁ ସ୍ଥାନିତ ହୋଇଛି । ସେହିପରି କ୍ଷୁଦ୍ର ରାଜ୍ୟ ବର୍ଗରେ ମିଜୋରାମ ପ୍ରଥମ ଓ ତ୍ରିପୁରା ଦ୍ବିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ ଏବଂ ଚଣ୍ଡିଗଡ଼ ରହିଛି । ତେବେ ଏଥିରେ ଖରାପ ପ୍ରଦର୍ଶନ ରହିଛି ଓଡିଶାର । ଓଡିଶା ୧୨ ନମ୍ବରରୁ ଖସି ୧୪ ନମ୍ବରରେ ପହଞ୍ଚିଛି ।

ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି, ‘ସୁସ୍ଥ ରାଜ୍ୟ, ପ୍ରଗତିଶୀଳ ଭାରତ’ । ଏହି ଅନୁଧ୍ୟାନର ୪ର୍ଥ ରାଉଣ୍ଡ ୨୦୧୮-୧୯ରୁ ୨୦୧୯-୨୦ ଅନୁଧ୍ୟାନକୁ ନିଆଯାଇଥିଲା । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ, ଉପାଧ୍ୟକ୍ଷ ଡ.ରାଜୀବ କୁମାର, ଅତିରିକ୍ତ ସଚିବ ଡ.ରାକେଶ ସୌରଭ ଏବଂ ବିଶ୍ୱ ବ୍ୟାଙ୍କର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିନା ଛାବ୍ରା ମିଳିତ ଭାବେ ଏହି ଜାତୀୟ ଅନୁଧ୍ୟାନ ରିପୋର୍ଟ ପ୍ରକାଶ କରିଛନ୍ତି । ବିଶ୍ବ ବ୍ୟାଙ୍କର ବୈଷୟିକ ସହାୟତା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶରେ ନୀତି ଆୟୋଗଙ୍କ ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ ଓ ପ୍ରକାଶିତ କରାଯାଇଛି ।

ଲୋକସଂଖ୍ୟା ଓ ଆୟତନ ଦୃଷ୍ଟିକୋଣରୁ ଅନୁଧ୍ୟାନକୁ, ବୃହତ ରାଜ୍ୟ, କ୍ଷୁଦ୍ରରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟ ଭାବେ ୩ ଶ୍ରେଣୀଭୂକ୍ତ କରାଯାଇଥିଲା । ବାର୍ଷିକ ବର୍ଦ୍ଧିତ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ଦୃଷ୍ଟିରୁ ବୃହତ ରାଜ୍ୟ ବର୍ଗରେ ତେଲେଙ୍ଗାନା ପ୍ରଥମ ଓ ପରେ ଗୁଜୁରାଟ ଏବଂ ପଞ୍ଜାବ ଶୀର୍ଷ ୩ରାଜ୍ୟ ଭାବେ ତାଲିକାରେ ସ୍ଥାନ ପକ୍କା କରିଛନ୍ତି । ପ୍ରଦର୍ଶନରେ ଉନ୍ନତି ଆଣିଥିବା ଛୋଟ ରାଜ୍ୟମାନଙ୍କ ମଧ୍ୟରେ ମିଜୋରାମ, ସିକିମ ଏବଂ ମେଘାଳୟ ସର୍ବାଧିକ ବାର୍ଷିକ ବର୍ଦ୍ଧିତ ପ୍ରଗତିଶୀଳ ରାଜ୍ୟ ଭାବେ ସ୍ଥାନିତ ହୋଇଛନ୍ତି । ସେହିପରି ପୂର୍ବାପେକ୍ଷା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଓଡିଶା । ପୂର୍ବ ସ୍ବାସ୍ଥ୍ୟ ସୂଚକାଙ୍କରେ ଓଡିଶା ୧୨ତମ ସ୍ଥାନରେ ଥିବାବେଳେ ଏଥର ପ୍ରଦର୍ଶନ ଦୃଷ୍ଟିରୁ ୧୪ ତମ ସ୍ଥାନକୁ ଖସିଛି ।
