୧୫-୧୮ ବର୍ଷ ବୟସ୍କା ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିିକା!
ନୂଆଦିଲ୍ଲୀ : ଦେଶରେ ପିଲାଙ୍କୁ ଟୀକାକରଣ ଲାଗି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଟିକା ମହଜୁତ ରଖିବା ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ । ଭାରତ ବାୟୋଟେକର କୋଭାକ୍ସିନ ଏକମାତ୍ର କୋଭିଡ-୧୯ ଟିକା ହୋଇପାରେ, ଯାହା ବର୍ତ୍ତମାନ ପାଇଁ ୧୫-୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ଜାନୁଆରୀ ୩ ରୁ ପିଲାମାନଙ୍କୁ ଟୀକାକାରଣ କରାଯିବ ।
ଏହାଛଡା ସ୍ବାସ୍ଥ୍ୟସେବାରେ ସାମିଲ ଥିବା ଆଗଧାଡିର ସ୍ବାସ୍ଥ୍ୟ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ନାଗରିକମାନଙ୍କୁ ସମାନ ଟୀକାକରଣର ତୃତୀୟ ଡୋଜ ପୂର୍ବରୁ ଦିଆଯିବ । ଆସନ୍ତା ୧୦ ତାରିଖରୁ ଦେଶରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋରୋନା ବିରୋଧରେ ଟିକାର ପ୍ରତିଷେଧମୂଳକ ବା ବୁଷ୍ଟର ଡୋଜ୍ ଦିଆଯିବ। ଏହି ବର୍ଗରେ ଥିବା ପ୍ରାୟ ୬ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ। ଶନିବାର ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ୍ କଥା ଘୋଷଣା କରିଥିଲେ ମଧ୍ୟ କେଉଁ ଟିକାକୁ ଏ କ୍ଷେତ୍ରରେ ବ୍ୟବହାର କରାଯିବ, ସେକଥା କହିନାହାନ୍ତି । ସେହିପରି ଦ୍ବିତୀୟ ଡୋଜ୍ ନେବାର କେତେ ଦିନ ପରେ ତୃତୀୟ ଡୋଜ୍ ନେବାକୁ ପଡ଼ିବ ସେ କଥା ମଧ୍ୟ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପକ୍ଷରେ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କ ଟୀକାକରଣ ଆରମ୍ଭ ହେବ। ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦିଆଯିବ। କାରଣ ଡିସିଜିଆଇ କିଛି ଦିନ ତଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏହାବାଦ ଜାୟଡସ କାଡିଲା ଟିକା ମଧ୍ୟ ଛୋଟ ପିଲାମାନଙ୍କୁ ଦେବା ପାଇଁ ସ୍ବୀକୃତି ଲାଭ କରିଛି। ହେଲେ ଏହା ଏଯାଏଁ ମାର୍କେଟକୁ ଆସିନାହିଁ । ତେଣୁ ବର୍ତ୍ତମାନ ଛୋଟ ପିଲାମାନଙ୍କୁ କୋଭାକ୍ସିନର ଡୋଜ୍ ହିଁ ଦିଆଯିବ। ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ପ୍ରାୟ ୬ରୁ ୭ କୋଟି ପିଲା ରହିଛନ୍ତି। ସେମାନଙ୍କ ଟିକାକରଣ ଯଥାଶୀଘ୍ର ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଜାନୁଆରୀ ୧ରୁ ପିଲାମାନଙ୍କ ଟୀକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ।
