ନିର୍ମାଣାଧୀନ ଘରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
କୋରାପୁଟ : କୋରାପୁଟ ଜିଲା ପୁଲିସକୁ ପୁଣି ମିଳିଛି ବଡ ସଫଳତା। ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଇ ଗାଁର ଏକ ନିର୍ମାଣାଧୀନ ଘରେ ମାଛକୁଣ୍ଡ ଏବଂ ଲାମଟାପୁଟ ପୁଲିସ ମିଳିତ ଚଢ଼ଉ କରି ୧୩.୫୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରି ଏହି ସଫଳତା ପାଇଛି। ଏହା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇ ଅଧିକ ଅନୁସନ୍ଧାନ ଚାଲିଛି ବୋଲି କହିଛନ୍ତି।
ସୂଚନା ଯେ, ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଅଞ୍ଚଳରେ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଏକ ନିର୍ମାଣାଧୀନ ବିଜୁ ପକ୍କା ଘରେ ବିପୁଳ ପରିମାଣରେ ଗଞ୍ଜେଇ ରଖାଯାଇଥିଲା । ଏନେଇ ଏକ ବିଶେଷସୁତ୍ରରୁ ଖବର ପାଇ କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପରେ ନନ୍ଦପୁର ଏସଡ଼ିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବାଲେଲ ଗାଁରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୫୮ଟି ବସ୍ତାରେ ରହିଥିବା ୧୩ କୁଇଣ୍ଟାଲ ୫୭ କେଜି ଗଞ୍ଜେଇକୁ ପୋଲିସ ଜବତ କରିବାରେ ସଫଳ ହୋଇଥିଲା । ଏହି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନଥିବା ବେଳେ ୨ ଜଣ ବ୍ୟକ୍ତି ସଂପୃକ୍ତ ରହିଥିବା ସନ୍ଦେହ କରାଯାଉଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହାକୁ ନେଇ ମାଛକୁଣ୍ଡ ପୋଲିସର ଅଧିକ ତଦନ୍ତ ଜାରିରହିଛି । ତଦନ୍ତ ପରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି ।
