ଗରିବ ପାଣ୍ଡେ ହତ୍ୟାକାଣ୍ଡ ମାମଲା, ୩ ଗିରଫ
ବଲାଙ୍ଗିର : ବଲାଙ୍ଗିର ଜିଲା ତୁଷୁରା ତେଲ ନଦୀରୁ ଉଦ୍ଧାର ହୋଇଥିବା ଗରିବ ପାଣ୍ଡେ ହତ୍ୟାକାଣ୍ଡ ଉପରୁ ପୁଲିସ ପରଦା ଉଠାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ତେଲିଗୋଠପଡ଼ାର ଛୋଟୁ ଓରଫ ଇଦୁଲ ଖାନ(୧୯), ସାଲେପାଲିର ସିଦ୍ଧାନ୍ତ ସେଠ(୨୦) ଓ ସୁଦିନ ଯାନି(୨୫)ଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ୧ ଅଟୋ ରିକ୍ସା, ୨ଟି ମୋଟର ସାଇକେଲ , ୪ଟି ମୋବାଇଲ ଫୋନ୍ ଓ ଗରିବ ପାଣ୍ଡେର ତଣ୍ଟି ଚିପିବା ପାଇଁ ବ୍ୟବହାର କରାଯାଇଥିବା ଏକ ଧଳା ଧୋତି ମଧ୍ୟ ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।
ସୂଚନା ଯେ, ଗରିବ ପାଣ୍ଡେଙ୍କୁ ଖୁଜେନପାଲି ବ୍ରିଜ ପାଖ ଶ୍ମଶାନରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତା ଓ ପରେ ମିତ୍ରତା ସ୍ଥାପନ ଆଳରେ ମଦ ପିଆଇ ହତ୍ୟା କରାଯାଇଛି। ହତ୍ୟା ପରେ ଅଟୋରେ ମୃତଦେହ ଆଣି ତେଲ୍ ନଦୀରେ ଫିଙ୍ଗି ଦେଇଥିଲେ। ଗିରଫ ୩ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଗତ ୧୫ ତାରିଖ ଦିନ ତୁଷୁରା ତେଲ ନଦୀରୁ ଗରିବ ପାଣ୍ଡେର ମୃତଦେହ ଉଦ୍ଧାର ହେବା ପରେ ତୁଷୁରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତ ଗରିବର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବା ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ତୁଷୁରା ଆଇଆଇସି ଏସ କେ ପ୍ରଧାନ, ଏସଆଇ ଏ ପି ଭୋଇ, ଦେଓଗାଁ ଥାନାର ଏସଆଇ ମନୋଜ ମୁଣ୍ଡା, ବଲାଙ୍ଗିର ଟାଉନ ଥାନା ଏସଆଇ ଅବିନାଶ ନାୟକ, ବିଜିତ ବେହେରା ଓ ପୂର୍ଣ୍ଣିମା ଓରାମ ପ୍ରମୁଖଙ୍କୁ ଟିମରେ ସାମିଲ କରାଯାଇଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ୨୪ ତାରିଖରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
