ମହାକାଶକୁ ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ଜେମ୍ସ ୱେବ୍ ପଠାଇଲା ନାସା
ଫ୍ରେଂଚଗୁଏନା : ମହାକାଶ ଗବେଷଣାରେ ଅମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ନୂଆ କୀର୍ତିମାନ ସ୍ଥାପନା କରିଛନ୍ତି । ବଡଦିନ ଅବସରରେ ନାସାଙ୍କ ପ୍ରେରିତ ସ୍ପେସ୍ ଟେଲିସ୍କୋପ ଜେମସ୍ ୱେବ ମହାକାଶରେ ସଫଳତାର ସହ ପହଂଚିଯାଇଛି । ଆଜି ସାରା ବିଶ୍ୱ ବଡ଼ ଦିନ ପାଳନ କରୁଥିବା ବେଳେ ମହାକାଶ ବିଜ୍ଞାନ ଗବେଷଣାରେ ମଧ୍ୟ ନୂଆ ଉତ୍ସବ ଭାବେ ଏହା ଏବେ ପରିଗଣିତ ହେଉଛି । ଏହି କାର୍ଯ୍ୟରେ ନାସାଙ୍କୁ ୟୁରୋପିୟ ସ୍ପେସ୍ ଏଜେନ୍ସୀ ଇସା ମଧ୍ୟ ସହଯୋଗ କରିଛନ୍ତି ।
ୟୁରୋପର ଫ୍ରେଂଚ୍ ଗୁଏନା ମହାକାଶ କେନ୍ଦ୍ରରୁ ମହାକାଶକୁ ଯାଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ୍ ଜେମ୍ସ ୱେବ୍ । ଏରିଏନ-୫ ରକେଟ ମାଧ୍ୟମରେ ନାସା ପକ୍ଷରୁ ଏହାକୁ ମହାକାଶକୁ ପ୍ରେରଣ କରାଯାଇଛି ।
ଜେମ୍ସ ୱେବକୁ ପୂର୍ବର ହବଲ ଟେଲିସ୍କୋପର ଉତରାଧିକାରୀ ବୋଲି କୁହାଯାଉଛି । ଏହା ପ୍ରାୟ ୧୫ ଲକ୍ଷ କିଲୋମିଟର ପଥ ଅତିକ୍ରମ କରି ମହାକାଶରେ ପୃଥିବୀର ଅନ୍ଧକାର ପଟେ ରହି ପୃଥିବୀକୁ ପରିକ୍ରମା କରିବ । ଏହା ମାଧ୍ୟମରେ ସୌରଜଗତ ସୃଷ୍ଟିର ରହସ୍ୟ ଉଦଘାଟନ କରିବାକୁ ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି । ଏହି ରକେଟର ଉତକ୍ଷେପଣକୁ ଶୁକ୍ରବାର କରାଯିବାର ଯେ଼ାଜନା ଥିଲେ ମଧ୍ୟ ଖରାପ ପାଗ ଯେ଼ାଗୁଁ ଏହାକୁ ଶନିବାର ପର୍ୟ଼୍ୟନ୍ତ ଘୁଂଚାଇ ଦିଆଯାଇ ଥିଲା । ନିଜର ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଏହି ଟେଲିସ୍କୋପକୁ ପ୍ରାଯ ୩୦ ଦିନ ସମୟ ଲାଗିବ । ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ ଆସନ୍ତା ଜାନୁଆରି ଶେଷ ସୁଦ୍ଧା ନିଜର ଲକ୍ଷ୍ୟସ୍ଥଳରେ ପହଂଚିଲେ ବି ଏହା କାର୍ୟ୍ୟକ୍ଷମ ହେବାକୁ ଆହୁରି ୬ ମାସ ସମୟ ଲାଗିଯିବ । ଏଥିରେ ଲାଗିଥିବା ଯନ୍ତ୍ରପାତି ପ୍ରାୟ ବିଯୁକ୍ତ ୨୨୮ ଡିଗ୍ରୀ ସେଲସିୟସରେ କାର୍ୟ୍ୟକ୍ଷମ ରହିବ । ୧୪ଟି ଦେଶର ଇଂଜିନିୟର ମାନେ ମିଳିତ ଭାବେ ଏହାକୁ ନିର୍ମାଣ କରିଛନ୍ତି । ଏହା ଏତେ ଶକ୍ତିଶାଳୀ ଯେ ଚନ୍ଦ୍ରରେ ଥିବା ଏକ ଭଅଁରକୁ ଦେଖିପାରିବ ।
