ସୁମିତ-ତପସ୍ୱିନୀ ବିବାଦ ମାମଲା : ବ୍ରହ୍ମାନଗରରେ ଜାରି ହେଲା ୧୪୪ ଧାରା
ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାଦ ମାମଲାରେ ପୁଣି ଆସିଛି ଟ୍ୱିଷ୍ଟ । ଡ଼ାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲା ଲାଗି ରହିଥିବା ବେଳେ ଗତକାଲି ସଂଧ୍ୟାରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ ମହିଳା। ତେଣୁ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ଉଦ୍ୟମ କରିଥିବା ପ୍ରତିକ୍ରିୟା ରଖିଥିଲେ ଉତ୍ତ୍ୟକ୍ତ ମହିଳା।
ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ତପସ୍ୱିନୀଙ୍କ ଶ୍ୱଶୁର ଘର ଆଗରେ ୨ ସେକ୍ସନ ପୁଲିସ୍ ମୁତୟନ ହୋଇଛନ୍ତି। ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି। କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି। ହେଲେ ବିନା କୌଣସି ସୂଚନାରେ ୧୪୪ ଧାରା ଲାଗୁକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ମାଜିଷ୍ଟ୍ରେଟ ଆସି ନୋଟିସ ଲଗାଇଥିଲେ ଆମେ ଜାଣିଥାନ୍ତୁ। ହେଲେ ଅଚାନକ ପୁଲିସ୍ ଏପରି ପଦକ୍ଷେପ ନେବାରୁ ଆମେ ବହୁତ ହଇରାଣ ହେବୁ ବୋଲି ସେ କହିଛନ୍ତି।
ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍ ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବାରଣ୍ଡାକୁ ଚାଲି ଯାଇଛନ୍ତି। ଶତାଧିକ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ଡା. ସୁମିତ୍ଙ୍କ ଘରର ସମ୍ମୁଖ ଭାଗ ଗ୍ରିଲ୍ ଭାଙ୍ଗି ଭିତରେ ପଶିବା ସହ ଘର ସମ୍ମୁଖରେ ଧାରଣାରେ ବସିଥିବା ତପସ୍ବିନୀକୁ ନେଇ ବସାଇଥିଲେ। ଡା. ସୁମିତ୍ଙ୍କ ଘରର ଦ୍ବିତୀୟ ଫାଟକ ବନ୍ଦ ରହିଥିବା ବେଳେ ତପସ୍ବିନୀ ଦ୍ବିତୀୟ ଫାଟକ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଜନତା ଘଟଣାସ୍ଥଳରେ ରୁଣ୍ଡ ହୋଇଥିବା ବେଳେ ପୁଲିସ ଭିଡ଼କୁ ହଟାଇବାକୁ ଲାଗିଥିଲା। ବ୍ରହ୍ମପୁର ପୁଲିସ ଏଏସ୍ପି ରମେଶ ଚନ୍ଦ୍ର ସେଠୀଙ୍କ ସମେତ ସମସ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ, ସୋମବାର ଦିନ ତପସ୍ବିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୂର୍ବ ପିଟିସନ୍ର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ବ୍ରହ୍ମପୁର ଏସ୍ଡିଜେଏମ୍ ଏହାର ଶୁଣାଣି କରି ତପସ୍ବିନୀଙ୍କୁ ଭଡ଼ା ଘରେ ରଖି ତାଙ୍କ ଖାଦ୍ୟପେୟ ଠାରୁ ଆରମ୍ଭ କରି ଯାବତୀୟ ଖର୍ଚ୍ଚ ଡା. ସୁମିତ୍ ବହନ କରିବେ ବୋଲି ରାୟ ଦେଇଥିଲେ। ଅଦାଲତ ସେହି ପୁରୁଣା ରାୟକୁ ଦୋହରାଇବା ଥିବାନେଇ ତପସ୍ବିନୀଙ୍କ ଓକିଲ ଦୀପକ୍ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଭଡ଼ା ଘର ନମିଳିବା ପର୍ଯ୍ୟନ୍ତ ତପସ୍ବିନୀ କେଉଁଠି ରହିବେ, ସେଥିନେଇ ଅଦାଲତ ତାଙ୍କ ନିର୍ଦ୍ଦେଶନାମରେ କିଛି ଉଲ୍ଲେଖ କରିନାହାନ୍ତି। ଗତ ୧୭ ତାରିଖ ଦିନ ତପସ୍ବିନୀଙ୍କ ଓକିଲ ଶ୍ରୀ ପଟ୍ଟନାୟକ ଯେତେଦିନ ପର୍ଯ୍ୟନ୍ତ ମାମଲାର ସମାଧାନ ନହୋଇଛି ସେତେଦିନ ପର୍ଯ୍ୟନ୍ତ ଡା. ସୁମିତ୍ଙ୍କ ଘରେ ତପସ୍ବିନୀଙ୍କୁ ରହିବାର ସୁଯୋଗ ଦିଆଯାଉ ବୋଲି ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଅଦାଲତ ପୁରୁଣା ନିର୍ଦ୍ଦେଶକୁ ଦୋହରାଇଥିବା ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି। ସୋମବାର ଦିନ ପିଟିସନ୍ ଶୁଣାଣି ବେଳେ ଉଭୟ ପକ୍ଷଙ୍କ ଓକିଲ ଅଂଶ ଗ୍ରହଣ କରିଥିଲେ।
