ରାଜ୍ୟସଭାରେ ବିଜେପି ଉପରେ ବର୍ଷିଲେ ସାଂସଦ ଜୟା ବଚ୍ଚନ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଆଜି ରାଜ୍ୟସଭାରେ ବିଜେପି ଉପରେ ବର୍ଷିଛନ୍ତି। ରାଗ ତମତମ ହୋଇ ଜୟା ବଚ୍ଚନ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ମୋତେ ଆକ୍ରମଣ କରାଯାଇଛି। ମୁଁ ଅଭିଶାପ ଦେଉଛି କି ଖୁବଶୀଘ୍ର ଆପଣମାନଙ୍କର ଖରାପ ଦିନ ଆସିବ। ଆପଣମାନେ ଆମ ତଣ୍ଟି ଚିପି ଦିଅନ୍ତୁ।
ଜୟା ବଚ୍ଚନଙ୍କ ଏଭଳି ମନ୍ତବ୍ୟ ପରେ ସଂସଦରେ ହଙ୍ଗାମା ଆହୁରି ବଢ଼ିଯାଇଥିଲା। ଗୃହ ଅଧ୍ୟକ୍ଷ ଭୁବନେଶ୍ୱର କଲିତା ସଦନର କାର୍ଯ୍ୟକାଳ ୫ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ସୂଚନା ଯେ, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଓ ୧୨ ସାଂସଦଙ୍କ ନିଲମ୍ବନକୁ ବରଖାସ୍ତ କରିବାକୁ ବିରୋଧୀ ଦଳ ଦାବି କରୁଛନ୍ତି। ସେଥିପାଇଁ ସଦନରେ ଲଗାତାର ଭାବେ ହଟ୍ଟଗୋଳ ହେଉଛି।
