ଭାରତ ଆସିଲା ଏସ-୪୦୦ ମିସାଇଲ୍, ବଢିବ ସେନାର ଶକ୍ତି
ନୂଆଦିଲ୍ଲୀ: ଋଷରୁ ଭାରତ ଆସିଲା ଏସ-୪୦୦ ମିସାଇଲ୍ ସିଷ୍ଟମର ପ୍ରଥମ ରେଜିମେଣ୍ଟ । ଏହାକୁ ୧୦ ଦିନ ପରେ ନୂଆବର୍ଷ ଆରମ୍ଭରୁ ଦେଶର ଉତ୍ତର ସୀମାରେ ମୁତୟନ କରାଯିବା ସହିତ ଚୀନ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମିସାଇଲ୍ ସିଷ୍ଟମ ଦେଶର ସୁରକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେବ। ଏହା କୌଣସି ପ୍ରକାରର ଏୟାର ଷ୍ଟ୍ରାଇକକୁ ରୋକିବାରେ ସମର୍ଥ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଏସ-୪୦୦ ମିସାଇଲ୍ ସିଷ୍ଟମର ଦ୍ୱିତୀୟ ରେଜିମେଣ୍ଟ ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ, ଯାହାକୁ ଲଦାଖ ଓ ଅରୁଣାଚଳ ସୀମାରେ ସୁରକ୍ଷା ପାଇଁ ମୁତୟନ କରାଯିବ । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ୬୦୦ କିଲୋମିଟର ପର୍ଯ୍ୟନ୍ତ ମିସାଇଲ୍ କିମ୍ବା ଏୟାରକ୍ରାଫ୍ଟକୁ ଟ୍ରାକ୍ କରି ଏହାକୁ ନଷ୍ଟ କରିବାକୁ ସକ୍ଷମ। ଆବଶ୍ୟକ ପଡିଲେ ଏହା କେବଳ ୧୦ରୁ ୧୫ ମିନିଟ୍ ଭିତରେ ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇପାରିବ ବୋଲି କୁହାଯାଇଛି ।
ଭାରତ ୨୦୧୮ ମସିହା ଅକ୍ଟୋବର ୫ ତାରିଖରେ ପ୍ରଥମ କରି ୫.୪୩ ମିଲିୟନ ଡଲାର ଅର୍ଥାତ ୩୯ ହଜାର କୋଟିରେ ଋଷ ସହ ଏକ ଚୁକ୍ତି କରିଥିଲା । ଏହି ଚୁକ୍ତିରେ ଋଷ ଭାରତକୁ ଏସ-୪୦୦ର ପାଞ୍ଚଟି ରେଜିମେଣ୍ଟ ଦେବାକୁ ଚୁକ୍ତି କରିଛି । ଏହି ଏୟାର ଡିଫେନ୍ସ ସିଷ୍ଟମ ଭାରତକୁ ମିଳିବା ପରେ ଭାରତର ଶକ୍ତି ଦ୍ୱିଗୁଣିତ ହେବାକୁ ଯାଉଛି । ମୁଖ୍ୟତଃ ସୀମାରେ ଶତ୍ରୁ ଦେଶକୁ ମାତ୍ ଦେବାକୁ ଏହା ବେଶ ଲାଭଦାୟକ ହୋଇପାରେ ।
