ଜୁନିୟର ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷିତ, ଧୂଲ୍ ଅଧିନାୟକ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜାନୁଆରୀ ୧୪ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ରବିବାର ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟ୍ର ୧୪ଶ ସଂସ୍କରଣ ପାଇଁ ୟଶ୍ ଧୁଲ୍ଙ୍କୁ ଦଳର ନେତୃତ୍ୱ ମିଳିଥିବା ବେଳେ ଏସ୍କେ ରଶିଦ୍ଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ଭାରତ ସବୁଠାରୁ ସଫଳ ଦଳ ଭାବେ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ଟାଇଟଲ୍ ଜିତିଥିବା ବେଳେ ୨୦୧୬ ଏବଂ ନ୍ୟୁଜିଲାଣ୍ଡ୍ରେ ଅନୁଷ୍ଠିତ ଗତ ସଂସ୍କରଣ (୨୦୨୦)ରେ ରନର୍ସଅପ୍ ଥିଲା।
ବିଶ୍ୱକପର ୧୪ଶ ସଂସ୍କରଣ ଜାନୁଆରୀ ୧୪ରୁ ଫେବୃଆରୀ ୫ ତାରିଖ ଯାଏ ୱେଷ୍ଟଇଣ୍ଡିଜର ଚାରୋଟି ଭେନ୍ୟୁରେ ଖେଳାଯିବ। ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ହେବାକୁଥିବା ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଜୁନିୟର ବିଶ୍ୱକପର ସବୁଠାରୁ ସଫଳ ଟିମ୍ ଭାବେ ୪ଥର ଟ୍ରଫି ଜିତିଛି। ଭାରତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା। ତେବେ ୨୦୧୬ ଓ ୨୦୨୦ରେ ଭାରତ ରନର୍ସଅପ୍ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପର ଟପ୍-୨ ଟିମ୍ ସୁପର୍ ଲିଗରେ ପହଞ୍ଚିବେ। ଭାରତ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୫ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଗାଏନାରେ ଖେଳାଯିବ। ଏହା ପରେ ଭାରତ ଜାନୁଆରୀ ୧୯ ତାରିଖରେ ଆୟର୍ଲ୍ୟାଣ୍ଡ, ୨୨ ତାରିଖରେ ତୃତୀୟ ମ୍ୟାଚରେ ଉଗାଣ୍ଡା ବିପକ୍ଷରେ ଖେଳିବ। ଏହି ଦୁଇଟି ଯାକ ମ୍ୟାଚ୍ ଯଥାକ୍ରମେ ବ୍ରାଏନ୍ ଲାରା କ୍ରିକେଟ୍ ଏକାଡେମୀ ଓ ତ୍ରିନିଦାଦ ଆଣ୍ଡ ତବାଗୋରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ଗୁଡ଼ିକ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ।
Here's India's squad for ICC U19 Cricket World Cup 2022 squad ? #BoysInBlue
— BCCI (@BCCI) December 19, 2021
Go well, boys! ? ? pic.twitter.com/im3UYBLPXr
ଘୋଷିତ ଦଳ: ୟଶ୍ ଧୁଲ୍ (ଅଧିନାୟକ), ହର୍ନୁର୍ ସିଂହ, ଅଙ୍ଗକ୍ରିଶ୍ ରଘୁବଂଶୀ, ଏସ୍କେ ରଶିଦ୍ (ଉପଅଧିନାୟକ), ନିଶାନ୍ତ ସିନ୍ଧୁ, ସିଦ୍ଧାର୍ଥ ଯାଦବ, ଅନୀଶ୍ୱର ଗୌତମ, ଦିନେଶ ବାନା, ଆରାଧ୍ୟ ଯାଦବ, ରାଜ୍ ଅଙ୍ଗଦ ବାୱା, ମାନବ ପାରଖ, କୌଶଳ ତାମ୍ବେ, ଆର୍ଏସ୍ ହଙ୍ଗର୍ଗେକର୍, ବାସୁ ବତ୍ସ, ଭିକ୍କି ଅଟ୍ସୱାଲ୍, ରବିକୁମାର, ଗର୍ବ ସାଙ୍ଗୱାନ୍; ଷ୍ଟାଣ୍ଡବାଇ ଖେଳାଳି: ରିଶିତ ରେଡ୍ଡୀ, ଉଦୟ ଶରଣ, ଅଂଶ ଗୋସାଇ, ଅମୃତ ରାଜ ଉପାଧ୍ୟାୟ, ପିଏମ୍ ସିଂହ ରାଠୋର।
