ଭାରତୀୟ ଖେଳାଳିଙ୍କ ପ୍ରଥମ ପୂର୍ଣ୍ଣ ଅଭ୍ୟାସ ସେସନ, ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଲେ ଦ୍ରାବିଡ
ସେଞ୍ଚୁରିଆନ : ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ସୁପରସ୍ପୋର୍ଟ ପାର୍କରେ ପ୍ରତିକ୍ଷୀତ ଟେଷ୍ଟ ସିରିଜ ପୂର୍ବରୁ ପ୍ରଥମ ପୂର୍ଣ୍ଣ ଅଭ୍ୟାସ ସେସନ ଆରମ୍ଭ କରିଛି । ଅଭ୍ୟାସ ସମୟରେ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଉଥିବା ଦେଖାଯାଇଛି ।
ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୨୬(ବକ୍ସିଂ ଡେ)ରେ ଖେଳାଯିବ। କ୍ରିକେଟର ଲମ୍ବା ଫର୍ମାଟରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବ୍ୟସ୍ତବହୁଳ ସୂଚୀ ଯୋଗୁଁ ସିରିଜ ପୂର୍ବରୁ କୌଣସି ୱାର୍ମଅପ୍ ମ୍ୟାଚ୍ ରଖାଯାଇନାହିଁ। ଫଳରେ ଦକ୍ଷିଣ ଆଫ୍ରିକା ପିଚ୍ ଓ ପରିବେଶ ସହ ନିଜକୁ ଖାପଖୁଆଇବାକୁ ଭାରତୀୟ ଖେଳାଳିଙ୍କ ପାଖରେ ସମୟ କମ୍ ରହିଛି । ଭେନ୍ୟୁ ୧୪୦୦ ମିଟର ଉଚ୍ଚତାରେ ରହିଛି ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଟିମ ଇଣ୍ଡିଆର ଅଭ୍ୟାସ ସମୟର ଭିଡିଓ ସେୟାର କରିବା ସହ ମେନ ଇନ୍ ବ୍ଲୁ ଆଗାମୀ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା କହିଛି । ନେଟ୍ସରେ ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ ଓ ଇଶାନ୍ତ ଶର୍ମା ବୋଲିଂ କରିଛନ୍ତି। ଏଥିସହ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଅଭ୍ୟାସ କରୁଥିବାର ଦେଖାଯାଇଛି ।
