ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ିବ ନୂଆ ଅଧ୍ୟାୟ : ଆଜିଠୁ ୪ ଜିଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା
ଭୁବନେଶ୍ୱର : ଆଜିଠୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହେବ ଆଉ ଏକ ନୂଆ ଅଧ୍ୟାୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ସ୍ମାର୍ଟ ହେଲଥ୍ କାର୍ଡ ବଂଟନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି । ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ ।
ଗୁରୁତର ରୋଗୀଙ୍କ ପାଖରେ ଯଥାଶିଘ୍ର ସମସ୍ତ ସୁବିଧା ସହ ଉତମ ଡାକ୍ତର ପହଂଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀ ଏହି ବାୟୁ ସ୍ୱାସ୍ଥ୍ୟସେବା ପାଇବେ । ମାଲକାନଗିରି, ନବରଙ୍ଗଗପୁର, କଳାହାଣ୍ଡି, ନୂଆପଡ଼ା ଜିଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଂଚିବେ ଡାକ୍ତରୀ ଟିମ୍ । ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।
ରାଜ୍ୟର ଉପାନ୍ତ ଅଂଚଳର ଲୋକଙ୍କ ପାଖରେ ଯୋଗାଯୋଗ ସୁବିଧା ନଥିବାରୁ ପ୍ରଥମେ ଏହି ଅଂଚଳରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଂଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଂଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମୁକ୍ତି ମିଳିବ । ଗୁରୁତର ରୋଗୀଙ୍କ ନିକଟରେ ହେଲକପ୍ଟରରେ ପହଂଚିବେ ଡାକ୍ତରୀ ଦଳ । ଯଦି ଆବଶ୍ୟକ ପଡେ ତେବେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟିଂ କରାଯାଇ ଅନ୍ୟ ମେଡିକାଲରେ ଭର୍ତି କରାଯିବ ।
