ଦ୍ୱିତୀୟ ଓଜେଇଇ ପରୀକ୍ଷା ପାଇଁ ଓପିଇସିଏର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଭୁବନେଶ୍ବର: ସୁପ୍ରିମକୋର୍ଟରେ ଖାରଜ ହେଲା ଓଡ଼ିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ (ଓପିଇସିଏ)ର ଆବେଦନ । ବି-ଟେକ୍ (ଇଞ୍ଜିନିୟରିଂ) ଏବଂ ଲାଟେରାଲ୍ ଏଣ୍ଟ୍ରି (ଏଲ୍ଇ) ପାଠ୍ୟକ୍ରମରେ ନାମ ଲେଖା ପାଇଁ ଦ୍ବିତୀୟ ଓଜେଇଇ-୨୦୨୧ ପରୀକ୍ଷା ଆୟୋଜନ କରିବା ପାଇଁ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ ଇଂଜିନିୟରିଂ କଲେଜ ଆସୋସିଏସନ (ଓପିଇସିଏ) ।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଡିଶା ଯୁଗ୍ନ ପ୍ରବେଶିକା ପରୀକ୍ଷା କମିଟିକୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଥିଲା । ତେବେ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଥିବା ସୂଚନା ମିଳିଛି । ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦର୍ଶାଯାଇଛନ୍ତି ଯେ, ଅକ୍ଟୋବର ୨୫ ତାରିଖରେ ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ନତୃତ୍ବଧୀନ ବେଞ୍ଚ ଏହି ମାମଲାର ଶୁଣାଣି କରି ନଭେମ୍ବର ୩୦ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଅବଧିକୁ ବୃଦ୍ଧି କରିବାକୁ ରାୟ ଶୁଣାଇଥିଲେ ।
ପରେ ପୁନର୍ବାର ଡିସେମ୍ବର ୧୬ରେ, ଓପେକା ଆବେଦନ କରିବା ପରେ ସର୍ବୋଚ୍ଚ ଅଦାଲତର ତିନିଜଣିଆ ଜଷ୍ଟିଷଙ୍କୁ ନେଇ ଗଠିତ ଖଣ୍ଡପୀଠ ସମୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ପୁନଶ୍ଚ ଓପିଇସିଏର ପରୀକ୍ଷା ଅନୁଷ୍ଠିତ କରାଇବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ ।
