ଗଙ୍ଗା ଏକ୍ସପ୍ରେସ-ୱେର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତରପ୍ରଦେଶ ର ଶାହାଜାହଁପୁର ଠାରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବ ସହ ୬ ଥାକିଆ ରାସ୍ତା ପାଇଁ ୩୬ ହଜାର ୨୦୦ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି କ୍ରମରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଏକ୍ସପ୍ରେସ ୱେ ମାଧ୍ୟମରେ ୟୁପିର ବିକାଶ ରାସ୍ତା ଖୋଲିବ ।
ଏହାସହ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁପିରେ ଏବେ ଯେଉଁ ଏକ୍ସପ୍ରେସ ୱେର ଜାଲ ବିଛାଯାଉଛି , ନୂଆ ବିମାନ ବନ୍ଦର ନିର୍ମାଣ କରାଯାଉଛି ଓ ରେଳ ଷ୍ଟେସନ ନିର୍ମାଣ କରାଯାଉଛି ତାହା ୟୁପିବାସୀଙ୍କ ଭବିଷ୍ୟତ ଉଜ୍ୱଳ କରିବ । ଏହି ରାଜମାର୍ଗ ନିର୍ମାଣ ହେଲେ ଲୋକଙ୍କର ଗମନାଗମନ ନେଇ ସମୟ ବଂଚିବ । ଅନ୍ୟପଟେ ୟୁପିକୁ ଚଳାଇବାକୁ ଯେଉଁ ଦୃଢ ଶାସନର ଆବଶ୍ୟକ ଥିଲା ତାହା ଏବେ ଡବଲ ଇଂଜିନ ସରକାର ଦ୍ୱାରା ସଫଳ ହେବାରେ ଲାଗିଛି । ଏହାସହ ୟୁପିର ପରିଚୟ ଆଗାମୀ ପିଢି ପାଇଁ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ହେବାକୁ ଯାଉଛି । ପ୍ରଥମେ ଲୋକଙ୍କ ଆୟକର ଟଙ୍କା କେଉଁଠାରେ ଖର୍ଚ୍ଚ ହେଉଥିଲା ତାହା ଜାଣିବା ସମ୍ଭବ ହେଉ ନଥିବା ବେଳେ ଏବେ ଲୋକଙ୍କ ଆୟକର ଟଙ୍କା ଗୋଟି ଗୋଟି କରି ବିନିଯୋଗ ହେଉଛି ଓ ତାହାର ସୁଫଳ ଲୋକମାନେ ଅନୁଭବ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ଗଙ୍ଗା ଏକ୍ସପ୍ରେସ ୱେ ମେରଠର ବିଜୈଲୀ ଗ୍ରାମଠାରୁ ଆରମ୍ଭ ହୋଇ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗାଁ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ରାଜମାର୍ଗ ମେରଠ, ହାପୁଡ, ବୁଲନ୍ଦସହର ବ୍ୟତୀତ ଓମରୋହା ଦେଇ ଯିବ । ଏହି ରାସ୍ତା ସମ୍ପୂର୍ଣ୍ଣ ହୋଇଗଲେ ୟୁପିର ପଶ୍ଚିମ ଓ ପୂର୍ବାଂଚଳ କ୍ଷେତ୍ରକୁ ଯୋଡିବ ।
ମିରଟ, ହାପୁର, ବୁଲନ୍ଦସହର, ଆମ୍ରୋହା, ସମ୍ୱାଲ, ଶାହାଜାହାନପୁର, ଉନ୍ନାଓ, ରାୟବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ମୋଦି କହିଥିଲେ । ପ୍ରାୟ ୬୦୦ କିଲୋମିଟର ବିଶିଷ୍ଟ ଦୀର୍ଘ ଏହି ଏକ୍ସପ୍ରେସୱେରେ ୩୬,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଗଙ୍ଗା ଏକ୍ସପ୍ରେସୱେ ଉକ୍ତ ଅଂଚଳକୁ ନୂଆ ଶିଳ୍ପ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମି ପିଢ଼ି ପାଇଁ ଭିତିଭୂମି କ୍ଷେତ୍ରରେ ଉତରପ୍ରଦେଶ ସବୁଠାରୁ ଆଧୁନିକ ରାଜ୍ୟ ଭାବେ ପରିଗଣିତ ହେବ । ସେଦିନ ବହୁତ ଦୂର ନୁହେଁ ବୋଲି ମୋଦି କହିଥିଲେ । ୟୁପିରେ ଏକ୍ସପ୍ରେସୱେଜ୍ ନେଟୱର୍କରେ ଓ ନୂତନ ବିମାନ ବନ୍ଦର, ନୂତନ ରେଳପଥ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଜନସାଧାରଣଙ୍କ ଟଙ୍କାକୁ କେମିତି ଖର୍ଚ୍ଚ କରାଯାଉଥିଲା ଏବେ କେମିତି ବିକାଶରେ ଖର୍ଚ୍ଚ କରାଯାଉଛି ତାହାର ଚିତ୍ର ଆପଣ ଦେଖିପାରୁ ଥିବେ । ବିରୋଧୀ ଏବଂ ପୂର୍ବତନ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ଆଗରୁ କେବଳ କିଛି ନିର୍ଦ୍ଦିଷ୍ଟ ଲୋକ ଉପକୃତ ହେଉଥିଲେ । ବର୍ତମାନ ସମସ୍ତେ ଏହାର ଲାଭ ପାଇଁ ସୁଯୋଗ ପାଇଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ସରକାରଙ୍କ ଧ୍ୟାନ ହେଉଛି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରାୟାସ । ବିକାଶ ଏବଂ ଐତିହ୍ୟକୁ ନେଇ କିଛି ରାଜନୈତତିକ ଦଳର ସମସ୍ୟା ରହିଛି ବୋଲି ମୋଦି କହିଥିଲେ । କାରଣ ସେମାନଙ୍କ ଭୋଟ୍ ବ୍ୟାଙ୍କ ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ମୋଦି ଉତରପ୍ରଦେଶ ର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶଂସା କରିଥିଲେ । ୟୁପିରେ ଯୋଗୀ ଉପଯୋଗୀ ବୋଲି ମୋଦି କହିଥିଲେ ।
