ଆଶେସ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ : ୨୮୨ ରନ୍ରେ ଆଗୁଆ ଅଷ୍ଟ୍ରେଲିଆ
Ashes, 2nd Test: Australia in firm control of the match with a lead of 282 runs against England.
ଆଡିଲେଡ୍ : ଆଡିଲେଡ୍ ଠାରେ ଚାଲିଥିବା ଆଶେସ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ବେଶ୍ ଉନ୍ନତ ସ୍ଥିତିରେ ରହିଛି। ଘରୋଇ ଦଳର ବୋଲର ବିଶେଷକରି ପେସର୍ ମିଚେଲ୍ ଷ୍ଟାର୍କ ଓ ସ୍ପିନର୍ ନାଥନ୍ ଲିଅନ୍ଙ୍କ ଆକ୍ରମଣରେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ମାନେ ଏକରକମ ଛତ୍ରଭଙ୍ଗ ଦେବା ସହ ପ୍ରଥମ ଇନିଂସରେ ମାତ୍ର ୨୩୬ ରନ୍ କରିପାରିଛନ୍ତି। ଫଳସ୍ୱରୂପ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଭିତ୍ତିରେ ୨୩୭ ରନ୍ରେ ଆଗୁଆ ରହିଥିଲା।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୭ ଓଭର୍ରେ ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ୱିକେଟ୍ ହରାଇ ୪୫ ରନ୍ କରିଛି। ଫଳରେ ଅଦ୍ୟାବଧି ଏହି ପିଙ୍କ୍ ବଲ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ୨୮୨ ରନ୍ରେ ଆଗୁଆ ରହିଛି। ଏଥିସହ ପ୍ରଥମ ଟେଷ୍ଟ୍ରେ ପରାଜୟ ବରଣ କରି ସିରିଜ୍ରେ ୦-୧ରେ ପଛୁଆ ଥିବା ଇଂଲଣ୍ଡ ଉପରେ ପରାଜୟର ବାଦଲ କ୍ରମଶଃ ଅଧିକ ଘନୀଭୂତ ହେବାରେ ଲାଗିଛି। ୱାର୍ଣ୍ଣର୍ ୧୩ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିବା ବେଳେ ତାଙ୍କ ଓପନିଂ ଯୋଡ଼ିଦାର ମାର୍କସ୍ ହ୍ୟାରିସ୍ ୩ଟି ଚୌକା ସହ ୨୧ ଏବଂ ନାଇଟ୍ ୱାଚ୍ମ୍ୟାନ୍ ଭାବେ ପଡ଼ିଆକୁ ଓହ୍ଲାଇଥିବା ମାଇକେଲ୍ ନେସର୍ ୨ ରନ୍ କରି ଅପରାଜିତ ଅଛନ୍ତି।
ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଇଂଲଣ୍ଡ ୨ ଓପନରଙ୍କୁ ହରାଇ ୧୭ ରନ୍ କରିଥିଲା। ଶନିବାର ଏହିଠାରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମାଲାନ୍ ଓ ଅଧିନାୟକ ଜୋ ରୁଟ୍ ଖେଳ ଆରମ୍ଭ କରି ଦଳୀୟ ସ୍କୋର୍କୁ ୧୫୭ରେ ପହଞ୍ଚାଇଥିଲେ। ଇତିମଧ୍ୟରେ ଉଭୟ ଖେଳାଳି ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଧିନାୟକ ରୁଟ୍ ବ୍ୟକ୍ତିଗତ ଭାବେ ୭ଟି ଚୌକା ସହ ୬୨ ରନ୍ କରିଥିବା ବେଳେ ତାଙ୍କୁ କାମେରନ୍ ଗ୍ରୀନ୍ ଆଉଟ୍ କରି ଅଷ୍ଟ୍ରେଲିଆକୁ ଦିନର ପ୍ରଥମ ସଫଳତା ଦେଇଥିଲେ। ଏଥିସହ ତୃତୀୟ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ୧୩୮ ରନ୍ର ଭାଗୀଦାରୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ପରେ ମାଲାନ୍ ୧୦ଟି ଚୌକା ସହ ୮୦, ଓଲି ପୋପ୍ ୫ ଓ ଜୋସ୍ ବଟଲର୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।
ଇଂଲଣ୍ଡ ୮୪.୧ ଓଭର୍ରେ ୨୩୬ ରନ୍ରେ ସୀମିତ ରହିବା ପୂର୍ବରୁ ଅଲ୍ରାଉଣ୍ଡର୍ ବେନ୍ ଷ୍ଟୋକ୍ସ ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ଏବଂ କ୍ରିସ୍ ଓକ୍ସ ୫ଟି ଚୌକା ସହ ୨୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଲି ରବିନ୍ସନ୍ ଶୂନ ଓ ଷ୍ଟୁଆର୍ଟ ବ୍ରଡ୍ ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜେମ୍ସ ଆଣ୍ଟର୍ସନ୍ ୫ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୪ଟି, ଲିଅନ୍ ୩ଟି, ଗ୍ରୀନ୍ ୨ଟି ଓ ନେସର୍ ଗୋଟିଏ ୱିକେଟ୍ ନେଇଥିଲେ।
