ବଢୁଛି ଆତଙ୍କ : ବୁଷ୍ଟର ଡୋଜ ନେବା ପରେ ମଧ୍ୟ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ଚିହ୍ନଟ
ମୁମ୍ବାଇ : ଦେଶରେ ବଢୁଛି ଓମିକ୍ରନ ଆତଙ୍କ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସମସ୍ତଙ୍କ ମନରେ ଭୟ ସଞ୍ଚାର କରିଛି । ଇତିମଧ୍ୟରେ ମୁମ୍ବାଇରେ ନ୍ୟୁୟର୍କ ଫେରନ୍ତା ଜଣେ ୨୯ ବର୍ଷୀୟ ଯୁବକ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ କଥା ହେଉଛି ଯେ, ଯୁବକ ଜଣକ କୋରୋନା ଭ୍ୟାକ୍ସିନ ଫାଇଜରର ତିନୋଟି ଡୋଜ୍ ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏନେଇ ବ୍ରିହନମୁମ୍ବାଇ ମହାନଗର ନିଗମ ( ବିଏମସି) ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ।
ସୂଚନା ଯେ, ବିଦେଶ ଫେରନ୍ତା ସଂକ୍ରମିତ ଯୁବକଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଇ ନାହିଁ । ନଭେମ୍ବର ୯ ତାରିଖ ଦିନ ସେ ନ୍ୟୁୟର୍କରୁ ମୁମ୍ବାଇ ପହଞ୍ଚିଥିଲେ । ବିମାନ ବନ୍ଦରରେ କୋଭିଡ ଟେଷ୍ଟ କରାଯିବା ପରେ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସାମ୍ପୁଲ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା । ଯେଉଁଥିରେ ସେ ଓମିକ୍ରନ ସଂକ୍ରମିତ ଥିବାର ଜଣାପଡିଛି । ବର୍ତ୍ତମାନ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବିଏମସି ସୂଚନା ଦେଇଛି । ଫାଇଜର ତିନୋଟି ଡୋଜ୍ ନେବା ପରେ ବି ସଂକ୍ରମଣର ଶିକାର ହେବା ଓମିକ୍ରନ ଭୟାବହତାକୁ ଦ୍ବିଗୁଣିତ କରିଛି । ସେପଟେ ଏହି ନୂଆ ମାମଲା ପରେ ବାଣିଜ୍ୟ ନଗରୀରେ ମୋଟ ଓମିକ୍ରନ ସଂକ୍ରମିତ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
