କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହ ବିଜେପିର ମହାମେଣ୍ଟ
ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଇତିମଧ୍ୟରେ ‘ପଞ୍ଜାବ ଲୋକ କଂଗ୍ରେସ’ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ବିଜେପି ପ୍ରଭାରୀ ଗଜେନ୍ଦ୍ର ସିଂ ଶିଖାୱତଙ୍କୁ ସାକ୍ଷାତ କରିଛନ୍ତି। ପରେ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବା ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ପଞ୍ଜାବ ଲୋକ କଂଗ୍ରେସ ବିଜେପି ସହ ମେଣ୍ଟ କରିବ ବୋଲି ଘୋଷଣା କରିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ । ଶୁକ୍ରବାର ବିଜେପି ପଞ୍ଜାବ ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ସାକ୍ଷାତ କରିବା ପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଘୋଷଣା କରାଯାଇଛି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମେ ନିଶ୍ଚିତ ଭାବେ ବିଜୟୀ ହେବୁ ଏବଂ ଏଥିରେ ଆସନ ବାଣ୍ଟିବାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଅନ୍ୟପକ୍ଷରେ ଅମରିନ୍ଦର ସିଂହଙ୍କ ଦଳ ସହ ମିଶି ଏହି ନିର୍ବାଚନ ଲଢିବୁ ବୋଲି କହିଛନ୍ତି ଗଜେନ୍ଦ୍ର ସିଂହ ଶେଖାୱତ।
ପଞ୍ଜାବ ବିଧାନସଭା ନିର୍ବାଚନରେ ମେଣ୍ଟ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ନାମରେ ଏକ ନୂଆ ଦଳ ଗଢିଥିଲେ କ୍ୟାପ୍ଟେନ। ଆଗାମୀ ନିର୍ବାଚନରେ ବିଜେପି ସହ ମେଣ୍ଟ କରିବାକୁ ପୂର୍ବରୁ ଇସାରା ଦେଇଥିଲେ ସେ। ଉପଯୁକ୍ତ ସମୟ ଆସିଲେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା କରାଯିବ। ଆମ ମେଣ୍ଟ ଶତ ପ୍ରତିଶତ ଏହି ନିର୍ବାଚନରେ ବାଜିମାତ କରିବ। ଆସନ ବୁଝାମଣା ବିଜୟ ସମ୍ଭାବନୁ ଦେଖିକରାଯିବ ବୋଲି ବିଜେପି ପଞ୍ଜାବ ନିର୍ବାଚନ ପ୍ରଭାରୀ। ପଞ୍ଜାବ ରାଜନୀତିରେ ଶିରୋମଣି ଅକାଳୀ ଦଳ ସହ ବିଜେପିର ଦୀର୍ଘ ଦିନର ମେଣ୍ଟ ରହିଥିଲା ହେଲେ କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ଉଭୟ ଦଳର ମେଣ୍ଟ ଭାଙ୍ଗି ଯାଇଥିଲା।
