ଅମାନବୀୟ ଘଟଣା : ଦେବୀଙ୍କ ବିଗ୍ରହରୁ ଆଖି ତାଡ଼ିନେଲେ ଦୁର୍ବୃତ୍ତ
୨ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି
ବାଲେଶ୍ୱର : ବାଲେଶ୍ୱରରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମନ୍ଦିର ଚୋରି ର୍ୟାକେଟ । ଗୁରୁବାର ରାତିରେ ବାଲେଶ୍ୱର ସହରର ୨ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରୀ ହେବା ଘଟଣା ଜିଲାବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସହରର ଶୋଭାରାମପୁର ସ୍ଥିତ ବାଶୁଳୀ ମନ୍ଦିର ଓ ଗୁଡ଼ିପଦାର ସନ୍ତୋଷୀ ମା’ ମନ୍ଦିରରୁ ହୋଇଥିବା ଚୋରି ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି ।
ଗୁଡ଼ିପଦା ସନ୍ତୋଷୀ ମା’ଙ୍କ ମନ୍ଦିରରୁ ଦେବୀଙ୍କ ମୁକୁଟ, ଚିତା, ନୋଥ ଓ ଅନ୍ୟାନ୍ୟ ପାଶ୍ୱର୍ ଦେବ-ଦେବୀଙ୍କ ସୁନା ଓ ରୂପା ଗହଣା ଚୋରି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ମୋଟ ୨୦ଗ୍ରାମ ସୁନା ଓ ଦେଢ଼ କେଜିରୁ ଅଧିକ ରୂପା ଗହଣା ଚୋରି ହୋଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ଦେବୀଙ୍କ ବିଗ୍ରହରୁ ଆଖି ଓ ମନ୍ଦିର ହୁଣ୍ଡି ଭଙ୍ଗି ଭକ୍ତଙ୍କ ଦାନଅର୍ଥକୁ ଦୁର୍ବୃତ୍ତମାନେ ନେଇଯାଇଥିବା ସ୍ଥାନୀୟ ବାସିନ୍ଦା ଆରୋପ କରିଛନ୍ତି । ସେହିପରି ଶୋଭାରାମପୁର ବାଶୁଳୀ ମନ୍ଦିରରୁ ମଧ୍ୟ ୩ ଭରି ଓଜନର ସୁନା ଗହଣା ସହିତ ଲକ୍ଷାଧିକ ଟଙ୍କାର ରୂପା ଗହଣା ଚୋରି ହୋଇଯାଇଛି । ଖବର ପାଇ ସହଦେବଖଣ୍ଟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଜଣେ କିମ୍ବା ଦୁଇଜଣ ନୁହେଁ ବରଂ ଗୋଟିଏ ଗ୍ୟାଙ୍ଗର କାମ ବୋଲି ବୋଲି ପୁଲିସ ସନ୍ଦେହ ପ୍ରକଟ କରିଛି । ତଦନ୍ତ ଅଧିକ କ୍ରିୟାଶୀଳ କରିବା ପାଇଁ ପୁଲିସ ସାଇଣ୍ଟିିଫିକ ଟିମ୍ ସହ ସନ୍ଧାନୀ କୁକୁରର ସହାୟତା ମଧ୍ୟ ନେଇଛି । ଚୋରି କରିଥିବା ଗ୍ୟାଙ୍ଗ ସମ୍ପର୍କରେ ସଠିକ ତଥ୍ୟ ହାସଲ ହୋଇ ନଥିଲେ ବି ଖୁବଶୀଘ୍ର ଅପରାଧିମାନଙ୍କୁ ଧରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
