କାୟା ମେଲାଉଛି ଓମିକ୍ରନ : ମହାରାଷ୍ଟରେ ଆଉ ୮ ନୂଆ ସଂକ୍ରମିତ, ମୋଟ ସଂଖ୍ୟା ୫୭କୁ ବୃଦ୍ଧି
ମୁମ୍ବାଇ : ମହାରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ । ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରୁ ୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଚିନ୍ତାର ବିଷୟ ହେଉଛି କି, ଅଧିକାଂଶ ଓମିକ୍ରନ ସଂକ୍ରମିତ ମୁମ୍ବାଇରୁ ଠାବ ହୋଇଛନ୍ତି । ୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ମାୟାନଗରୀର ଅଟନ୍ତି । ପୁଣି ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି।
କୋରୋନାର ଏହି ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ବିମାନବନ୍ଦରରେ ନିୟମକୁ କଡାକଡି କରିଛନ୍ତି । ଅଧିକ ଆଶଙ୍କା ସମ୍ପନ୍ନ ରାଷ୍ଟ୍ରରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ ରହିବା ଲାଗି ପରାମର୍ଶ ଦିଆଯାଇଛି । ସେପଟେ ଦିନକୁ ଦିନ ମହାରାଷ୍ଟ୍ରର ସ୍ଥିତି ବିଗୁଡୁଥିବାର ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁମ୍ବାଇରେ କରିବାକୁ ଥିବା କଂଗ୍ରେସ ରାଲି ରଦ୍ଦ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ର ସମେତ ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ଦେଶର ପ୍ରମୁଖ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନ, ଦିଲ୍ଲୀରେ ୪ଟି ଲେଖାଏଁ ଓ ଗୁଜୁରାଟରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି । ସୂଚନା ଯେ, ପ୍ରଥମେ କର୍ଣ୍ଣାଟକରେ ହିଁ ଦେଶର ପ୍ରଥମ ଓମିକ୍ରନ ମାମଲା ଠାବ ହୋଇଥିଲା । ସେହିପରି ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରୁ ୨୮, ରାଜସ୍ଥାନରୁ ୧୩, କର୍ଣ୍ଣାଟକରୁ ୩, ଗୁଜୁରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରେ ୧, ଦିଲ୍ଲୀରେ ୬ ଏବଂ ଚଣ୍ଡିଗଡରେ ଗୋଟିଏ ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।
