ଓମିକ୍ରନ୍ ବିପଦ : ଆଜିଠୁ ମୁମ୍ବାଇରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ
ମୁମ୍ବାଇ : କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନର ବିପଦ ମଧ୍ୟରେ ମୁମ୍ବାଇରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବାକୁ ପଦକ୍ଷେପ ନିଆଯାଇଛି। କରୋନା କଟକଣା ମଧ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଆଜିଠାରୁ ଖୋଲିବ। କିନ୍ତୁ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ତରଫରୁ ଏନେଇ ଆଦେଶ ଜାରି କରାଯାଇଛି।
ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ବନ୍ଦ ଥିବା ସ୍କୁଲ ଖୋଲିବ। ଦୀର୍ଘ ଦିନ ଧରି ଘରେ ରହିବା ପରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ବସି ପାଠ ପଢ଼ିବେ। ପୂର୍ବରୁ ଏହି ସ୍କୁଲକୁ ଡିସେମ୍ବର ୪ ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପୁଣି କରୋନାର ନୂଆ ଭ୍ୟାରିଅଣ୍ଟ ଓମିକ୍ରନ୍ ପାଇଁ ନିଷ୍ପତ୍ତି ସ୍ଥଗିତ ରହିଥିଲା। କାରଣ ମୁମ୍ବାଇରେ ଓମିକ୍ରନ୍ ମାମଲା ମଧ୍ୟ ଚିହ୍ନଟ ହୋଇଛି। ତେବେ କରୋନା ପାଇଁ ବିଦ୍ୟାଳୟରେ କୋଭିଡ୍ ନିୟମ ପାଳିବାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ସାନିଟାଇଜେସନ କରିବା ଆଦି ମାନିବାକୁ ପରାମର୍ଶ ଦିଆଯାଇଛି। ସୂଚନା ଯେ, ମୁମ୍ବାଇରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଅକ୍ଟୋବର ୪ରୁ ଆରମ୍ଭ ହୋଇଯାଇଛି। ଏସମ୍ବନ୍ଧରେ ସେପ୍ଟେମ୍ବର ୨୯ରେ ଆଦେଶ ଜାରି କରାଯାଇଥିଲା।
