ବିଏସକେୱାଇ ଯୋଜନାରେ ସାମିଲ ହେଲା ନୟାଗଡ
ନୟାଗଡ : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ । ଭର୍ଚୁଆଲରେ ନୟାଗଡ ଜିଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନୟାଗଡବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲରେ ୧୦୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୫୧ଟି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ନୟାଗଡର ୨ ଲକ୍ଷ ୨୩ ହଜାର ୬୦ ପରିବାର ପାଇବେ । ଏହାଦ୍ବାରା ୭,୭୦,୭୬୭ ଜଣ ହିତାଧିକାରୀ ଉପକୃତ ହେବେ ।
ଏଣିକି ସ୍ମାର୍ଟ ହେଲଥ କାର୍ଡରେ ସ୍ବାସ୍ଥ୍ୟ ସେବାର ସୁବିଧା ପାଇବେ ଜିଲାବାସୀ । ଏ ନେଇ ଆଜି ଭିସି ଯୋଗେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦିନ ୧୧ଟା ୩୦ ମିନିଟରେ ସ୍ଥାନୀୟ ପିଟିଏସ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଧାସଳଖ ଯୋଡି ହୋଇ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିବା ସହ ୧୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନୟାଗଡବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଚନ୍ତି, ମିସନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ସରକାର ଚିକିତ୍ସା କଥା ବୁଝୁଛନ୍ତି । ଆପଣ ସେ ଅର୍ଥ ସଞ୍ଚୟ କରନ୍ତୁ । ସଞ୍ଚିତ ଅର୍ଥ ପିଲାଙ୍କ ପାଠପଢା ଓ ପରିବାରର ବିକାଶ ପାଇଁ ଖର୍ଚ୍ଚ କରନ୍ତୁ । କାର୍ଯ୍ୟକ୍ରମରେ ଜିଲାପାଳ ପୋମା ଟୁଡୁ, ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
