ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ ଭାରତ ଓ ଉତ୍ତର ଭାରତକୁ ଗଡିବ ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ
୨୦୨୨ ଜାନୁୟାରୀ ୨୧ରେ ଆରମ୍ଭ ହେବ ଯାତ୍ରା
ଭୁବନେଶ୍ୱର : ଓଡ଼ିଶା ମଧ୍ୟ ଦେଇ ପଶ୍ଚିମ ଭାରତ ଓ ଉତ୍ତର ଭାରତକୁ ଗଡିବ ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ । ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ( ଆଇଆରସିଟିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମ ଭାରତରେ ଥିବା ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନ, ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍” ବ୍ୟବସ୍ଥା କରାଯାଇଛି । ଜାନୁୟାରୀ ୨୦୨୨ ରେ ପଶ୍ଚିମ ଭାରତ ପାଇଁ ସ୍ପେଶାଲ୍ ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ପେଶାଲ୍ ଟୁରିଷ୍ଟ ଟ୍ରେନ୍” ଏବଂ ମାର୍ଚ୍ଚରେ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଉତ୍ତର ଭାରତ ଅଭିମୁଖେ ଯାତ୍ରା କରିବାକୁ ସ୍ଥିର କରାଯାଇଛି ।
ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ ଆରମ୍ଭ ହେବ । ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ମାର୍ଗ ଦେଇ ୨୦୨୨ ଜାନୁଆରୀ ୨୧ ତାରିଖରେ ପଶ୍ଚିମ ଭାରତର ଗୁଜୁରାଟକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ। ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ ଏବଂ ବାଲେଶ୍ୱର ମାର୍ଗଦେଇ ୨୦୨୨ ମାର୍ଚ୍ଚ ୧୯ ତାରିଖରେ ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ।
ସାଧାରଣ ଲୋକ ଗୁଜୁରାଟର ଧାର୍ମିକ, ପର୍ଯ୍ୟଟନ ସ୍ଥାନଗୁଡିକ ସହିତ ମାତା ବୈଷ୍ଣୋଦେବୀ ଓ ଉତ୍ତର ଭାରତର ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ଗୁଡିକୁ ଅତି ସୁଲଭ ମୂଲ୍ୟରେ ପରିଦର୍ଶନ କରିବା ପାଇଁ ଏଭଳି ସୁଯୋଗ ଯୋଗାଇ ଦିଆଯାଉଛି। ଏହି ପରିକଳ୍ପନା ମଧ୍ୟରେ ଟ୍ରେନ ଓ ସଡକ ପରିବହନ, ଆବାସ, ଭ୍ରମଣ ସ୍ଥାନ ବୁଲାଇବା, ଶାକାହାରୀ ଭୋଜନ (ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ), ଆଇଆରସିଟିସି ଟୁର୍ ଏସକର୍ଟ ଏବଂ ଟ୍ରାଭେଲ୍ ଇନସୁରାନ୍ସ ଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି । ପଶ୍ଚିମ ଭାରତ ଆଡକୁ ଗୁଜୁରାଟ ଟୁରିଷ୍ଟ ପ୍ୟାକେଜରେ ଷ୍ଟାଣ୍ଡାର୍ଡ ପ୍ୟାକେଜ ପାଇଁ ୧୦,୪୦୦ /- ଟଙ୍କା ଏବଂ ଆରାମଦାୟକ ଯାତ୍ରା ପାଇଁ ୧୭,୩୦୦ /- ଟଙ୍କା (୧୦ ରାତି / ୧୧ ଦିନ) ପାଇଁ ବ୍ୟୟ ଦେବାକୁ ପଡିବ ।
ଏହି ପ୍ୟାକେଜ ଦ୍ୱାରା ପର୍ଯ୍ୟଟକମାନେ ସୋମନାଥ ଜ୍ୟୋତିର୍ଲିଙ୍ଗ, ଦ୍ୱାରକାସ୍ଥିତ ଦ୍ୱାରକାଧିଶ ମନ୍ଦିର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ବେଟ୍ ଦ୍ୱାରକା ଠାରେ କୃଷ୍ଣଙ୍କ ମନ୍ଦିର, ଅହମ୍ମଦାବାଦରେ ଅକ୍ଷରଧାମ ମନ୍ଦିର, ସାବରମତୀ ଆଶ୍ରମ, ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ। ମାତା ବୈଷ୍ଣୋଦେବୀ ମନ୍ଦିର ସହିତ ଉତ୍ତର ଭାରତର ଆଗ୍ରା ଠାରେ ତାଜ ମହଲ ଏବଂ ଆଗ୍ରା ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଏବଂ ଓ୍ବାଘା ସୀମା ଏବଂ ହରିଦ୍ୱାରର ମନସା ଦେବୀ ମନ୍ଦିର ଏବଂ ଗଙ୍ଗା ଆରତୀ ଦର୍ଶନ ପାଇଁ ପ୍ୟାକେଜର ମୂଲ୍ୟ ୮,୫୧୦ ଟଙ୍କା ରହିଛି ।
ଆରାମ ଦାୟକ ଯାତ୍ରା ପାଇଁ ୧୦,୪୦୦ ଟଙ୍କା ଦେୟ ଦେବାକୁ ପଡିବ । ଏହି ଭ୍ରମଣ ପାଇଁ ଆପଣଙ୍କୁ ୮ ରାତି ସହ ୯ ଦିନ ଟ୍ରେନରେ ଯାତ୍ରା କରିବାକୁ ପଡିବ । ପ୍ରତ୍ୟକ ତୀର୍ଥଯାତ୍ରୀଙ୍କ ପାଇଁ ଏହି ପ୍ୟାକେଜରେ ରାତ୍ରି ରହଣି, ଦର୍ଶନୀୟ ସ୍ଥାନ, ଜଳଖିଆ ଏବଂ ଶାକାହାରୀ ଭୋଜନ, ମଧ୍ୟାହ୍ନ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଓ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଞ୍ଚଳର ଯାତ୍ରୀମାନେ ଗୁଜୁରାଟ, ଉତ୍ତର ଭାରତର ଧାର୍ମିକ ଓ ପର୍ଯ୍ୟଟନ ସ୍ଥାନକୁ ଓଡ଼ିଶାର ବିଭିନ୍ନ ବୋର୍ଡିଂ ଷ୍ଟେସନ ଗୁଡିକ ଠାରୁ ଉପରୋକ୍ତ ପର୍ଯ୍ୟଟକ ପ୍ୟାକେଜ୍ ଦ୍ୱାରା ପରିଦର୍ଶନ କରିବାର ଲାଭ ପାଇପାରିବେ। ଏହା ବ୍ୟତୀତ ଭୁବନେଶ୍ୱରର ଆଇଆରସିଟିସି ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଭାରତର ବିଭିନ୍ନ ସ୍ଥାନ ତଥା ବିଦେଶକୁ ସବୁଠାରୁ ଶସ୍ତା ଘରୋଇ ଏୟାର ପ୍ୟାକେଜ୍ ପ୍ରଦାନ କରୁଛି ।
