ଭୟ ବଢ଼ାଉଛି କୋଭିଡର ନୂଆ ଭ୍ୟାରିଏଣ୍ଟ, ୬୪ ଦେଶରେ ଓମିକ୍ରନ ସଂକ୍ରମଣ ଚିହ୍ନଟ
ବେଜିଂ : ଆସ୍ତେ ଆସ୍ତେ ମାଡି ଚାଲିଛି କୋଭିଡ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ଦୈନିକ ଭାବେ କେଉଁଠୁ ନ କେଉଁଠୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ନୂଆ ଭ୍ୟାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୬୪ ଦେଶକୁ ବ୍ୟାପିସାରିଲାଣି ।
ଚୀନରେ ପ୍ରବେଶ କଲା କୋଭିଡ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ଓମିକ୍ରନ୍ ଭ୍ୟାରିଏଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ନେଇ ଚୀନର ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଉତ୍ତର ଚୀନର ତିଆଜିନରେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ସୂଚନା ଯେ, ପ୍ରଥମ କୋରୋନା ଭୂତାଣୁ ଚୀନର ଉହାନ ସହରରେ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ସାରା ବିଶ୍ବରେ ଦୀର୍ଘ ୨ବର୍ଷ ହେବ ମହାମାରୀ ଭାବେ ଆତଙ୍କ ଜାରି ରଖିଛି । ଏହାର ଏକାଧିକ ଭ୍ୟାରିଏଣ୍ଟ ସାମ୍ନାକୁ ଆସିସାରିଥିବା ବେଳେ ବର୍ତ୍ତମାନ ସଦ୍ୟତମ ଭ୍ୟାରିଏଣ୍ଟ (ପ୍ରଜାତି) ‘ଓମିକ୍ରନ’ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି । ପୂର୍ବରୁ ମଧ୍ୟ କୋଭିଡର ଏକାଧିକ ଭ୍ୟାରିଏଣ୍ଟ ସାମ୍ନାକୁ ଆସି ସାରିଥିବାବେଳେ ବର୍ତ୍ତମାନ ଏହାର ସଦ୍ୟତମ ଭ୍ୟାରିଏଣ୍ଟ ଓମିକ୍ରନ ବିଶ୍ବାବ୍ୟାପୀ ସଙ୍କଟ ସୃଷ୍ଟି କରିଛି । ଏହି ନୂତନ ପ୍ରଜାତି ବି.୧.୧.୫୨୯ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବେଳେ ଏହାକୁ ଓମିକ୍ରନ ବୋଲି ନାମକରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ।
