ମନ ଜିଣିଲେ ପ୍ରଧାନମନ୍ତ୍ରୀ : ବିଶ୍ୱନାଥ ଧାମ ନିର୍ମାଣ କରିଥିବା ଶ୍ରମିକଙ୍କ ସହ କଲେ ଭୋଜନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନ ପାଇଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି। ସେଠାରେ ମୋଦୀ ନିଜ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ କରିଛନ୍ତି। କାଶୀରେ ମନ ଜିଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଧାମ ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲ ବର୍ଷା କରି ମୋଦୀ ଅଭିବାଦନ କରିଥିଲେ। ସେମାନଙ୍କ ସହ ସେଲ୍ଫି ଉଠାଇବା ସହ ଭୋଜନ ମଧ୍ୟ ଗ୍ରହଣ କରିଥିଲେ। ଆଉ ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଅବସରରେ ମୋଦୀ କହିଛନ୍ତି ଯେ, ମୁଁ ଆଜି ସମସ୍ତ ଶ୍ରମିକ ଭାଇ-ଭଉଣୀଙ୍କଠାରେ ଆଭାର ବ୍ୟକ୍ତ କରିବାକୁ ଚାହୁଁଛି ଯାହାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏହି ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। କରୋନାର ଏହି ବିପରୀତ କାଳରେ ମଧ୍ୟ ସେମାନେ ନିର୍ମାଣ କାର୍ଯ୍ୟ ଜାରି ରଖଥିଲେ।
ସୂଚନା ଯେ, ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଗସ୍ତରେ ଅଛନ୍ତି । ସେ ଆଜି କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବା ସହ ଗଙ୍ଗା ମାଙ୍କୁ ପୂଜା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ସାଧାରଣ ସଭାରେ ମଧ୍ୟ ଉଦବୋଧନ ଦେଇଥଲେ । ଏହା ସହ ଶ୍ରମିକଙ୍କ ସହ କଥା ହୋଇଥିଲେ । ଗସ୍ତ ସମୟରେ ମୋଦୀ ଶ୍ରମିକଙ୍କ ସହ ଭୋଜନ କରୁଥିବା ଦେଖିବାକୁ ମିଳିଛି । ମୋଦୀ ଶ୍ରମିକଙ୍କ ସହ ଏକାଠି ବସି ଖାଉଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଏପରି ସ୍ୱଭାବକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
